Odia News Portal

ଜଗା ଫେରିଲା ଫୁଲବାଣୀ, କାଳିଆକୁ ଝୁରୁଛି ପରିବାର

କଟକ: କଟକ ବଡ଼ ମେଡିକାଲ ଏସସିବିରୁ ଡିସଚାର୍ଜ ହେଲା ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଆଜି ହସପିଟାଲରୁ ଡିସଚାର୍ଜ ହୋଇଛି । ସେ ଏବେ ସୁସ୍ଥ ହେବାରେ ଲାଗିଥିବାରୁ ତାକୁ ଏସସିବିରୁ ଡିସଚାର୍ଜ ଦିଆଯାଇଥିବା ସୂଚନା ମିଳିଛି।

ତେବେ ଏସସିବିରୁ ଡିସଚାର୍ଜ ହେବାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଡାକ୍ତରୀଦଳ ଅଧିନରେ ଜଗା ଚିକିତ୍ସିତ ହେବ। ଜଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ କନ୍ଧମାଳର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆଜି କଟକ ଏସସିବିରେ ପହଞ୍ଚିଥିଲେ। ଜଗାର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବାପରେ ଜଗାକୁ ଡିସଚାର୍ଜ କରାଯାଇଛି । ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା” ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘରକୁ ଫେରିଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ। କନ୍ଧମାଳ ଜିଲ୍ଲାପାଳ ଏ ସଂପର୍କରେ ସରକାରଙ୍କୁ ଜଣାଇଥିଲେ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କର ୨୦୧୭ରେ ଦିଲ୍ଲୀସ୍ଥିତ ଏମ୍‌ସରେ ଅପରେସନ କରାଯାଇଥିଲା । ସେଠାରେ ଦୁଇ ଯାଆଁ ଶିଶୁଙ୍କୁ ପୃଥକ କରାଯାଇଥିଲା । ଏମ୍‌ସରେ ପ୍ରାୟ ୨ ବର୍ଷ ରହିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଦୁଇ ଶିଶୁ ୨୦୧୯ରେ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏସ୍‌ସିବି ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା । ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଶିଶୁ ରୋଗ ବିଭାଗ, ଆନାସ୍ଥେସିଆ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି, ଛାତି ଓ ଯକ୍ଷ୍ମା ରୋଗ ବିଭାଗ, ଚକ୍ଷୁ, ସର୍ଜରୀ ଆଦି ବିଭାଗର ବରିଷ୍ଠ ବିଶେଷଜ୍ଞମାନେ ସଦସ୍ୟ ରହିଥିଲେ ।ଉକ୍ତ ଡାକ୍ତରୀ ଟିମ୍‌ ୨୦୧୯ରୁ ଜଗାକୁ ଦେଖାଶୁଣା କରିଆସୁଛନ୍ତି । ୨୦୧୯ରେ ଜଗା-କାଳିଆ ଏସ୍‌ସିବିରେ ପହଞ୍ଚିଲା ଦିନଠାରୁ ବଳିଆ ଆଇସିୟୁରେ ହିଁ ରହିଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ କାଳିଆର ମୃତ୍ୟୁ ଘଟିଥିଲା । କିନ୍ତୁ ଜଗା ଏବେ ସୁସ୍ଥ ରହିଛି । ବର୍ତ୍ତମାନର ସ୍ଥିତିରେ ଜଗାର ଶରୀରରେ କିଛି ସମସ୍ୟା ନାହିଁ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି ।