Odia News Portal

ସମଲିଙ୍ଗୀ ବିବାହ ପାଇଁ ମହାଭାରତ

ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ଜୀବନ ଉପରେ ବିପଦରେ ଅଛି କହି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି । ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ ଏହି ଦମ୍ପତି । ଦୁଇଜଣ ଦୁଇଜଣକୁ ପାଇ ସୁଖରେ ସଂସାର ଗଢ଼ିବା ପରେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି ଦ୍ୱୟ। ଆଇନ ଏହି ବିବାହକୁ ସମ୍ମତି ଓ ସ୍ୱୀକୃତି ପ୍ରଦାନ ପରେ ମଧ୍ୟ ଲୋକଙ୍କ ବିରୋଧ ଓ ଧମକ ଏମାନଙ୍କୁ ବିଚଳିତ କରିଛି । ବର୍ତ୍ତମାନ ଏମାନେ ନିଜର ସୁରକ୍ଷା ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି ।

ସୂଚନାନୁଯାୟୀ , ପ୍ରାୟ ୨ ବର୍ଷ ପୂର୍ବେ ଉଭୟ ଯୁବତୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ସାକ୍ଷାତ ସମୟରେ କେହି କାହାକୁ ଜାଣି ନ ଥିବା ବେଳେ ଧିରେ ଧିରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଏହାପରେ ପ୍ରେମ ଏତେ ମାତ୍ରାରେ ବଢି ଯାଇଥିଲା ଯେ ଜଣେ ଅନ୍ୟ ଜଣକୁ ନ ଦେଖି ଦଣ୍ଡେ ମାତ୍ର ରହିପାରୁ ନଥିଲେ। ପ୍ରାୟ ୨ ବର୍ଷ ଏପରି ସମ୍ପର୍କରେ ରହିବା ପରେ ଏହି ୨ ଯୁବତୀ ବିବାହ କରିବାକୁ ସ୍ଥିର କରିଥିଲେ କିନ୍ତୁ ବାଧା ଦେଇଥିଲେ ପରିବାର ଲୋକ ।ତେବେ ଏହି ଦମ୍ପତି ଦ୍ୱୟ ହେଉଛନ୍ତି ଜଖପୁରା ଥାନା ଅନ୍ତର୍ଗତ ରାବଣ। ଗ୍ରାମର ଶ୍ରୀଧର ପତିଙ୍କ ଝିଅ ଶୁଭଲକ୍ଷ୍ମୀ ପତି ୨୨ ବର୍ଷ ସେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଛନ୍ତି । କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ ଲକ୍ଷ୍ମୀପ୍ରିୟା ମିଶ୍ର ୨୧ ବର୍ଷ ଦୁହେଁ ୨ ତାରିଖରେ କୋର୍ଟ ମ୍ୟାରେଜ କରି ସବୁଦିନ ପାଇଁ ସମ୍ପର୍କରେ ବାନ୍ଧି ହୋଇଯାଇଥିଲେ ।

କିନ୍ତୁ ଏହି ସମଲିଙ୍ଗି ବିବାହକୁ ନେଇ ଲକ୍ଷ୍ମୀ ପ୍ରିୟାଙ୍କ ବାପା କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମଲିଙ୍ଗୀ ଦମ୍ପତି କହିଛନ୍ତି, “ଆମେ ସାବାଳକ । ନିଜ ଇଚ୍ଛାରେ ଆଇନଗତ ଭାବେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଲୁ। ଆମେ ଏବେ ବହୁତ ଖୁସି ଅଛୁ। ହେଲେ ପରିବାର ଲୋକ ଫୋନ୍‌ କରି ଧମକଚମକ ଦେଉଛନ୍ତି। କେବଳ ଏତିକି ନୁହେଁ। ଆମକୁ ହାଣିଦେବାକୁ ମଧ୍ୟ ଧମକ ଦେଉଛନ୍ତି। ତେଣୁ ଆମକୁ ଆମ ବାଟରେ ଛାଡ଼ି ଦିଅ। ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଛୁ।” ଏ ନେଇ ସମଲିଙ୍ଗୀ ଦମ୍ପତି ଦାନଗଦି ଫାଣ୍ଡିରେ ଅଭିଯୋଗ କରିବା ପରେ କୋରେଇ ପୋଲିସ ଉଭୟଙ୍କୁ କୋରେଇ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛି। ତେବେ ଏହି ସମଲିଙ୍ଗୀ ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।