ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଚୀନର ଯେତିକି କ୍ଷତି ଘଟିବ ନାହିଁ ତାଠୁ ଅଧିକ କ୍ଷତି ଭାରତର ହେବ। ଶୁକ୍ରବାର ଏମିତି ସଙ୍କେତ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)। କଟକଣା ସତ୍ତ୍ଵେ ଭାରତ ରୁଷ ସହିତ କାରବାର ଜାରି ରଖିବାକୁ ସଙ୍କେତ ଦେଇ ସାରିଛି। ଆଇଏମଏଫ କହିଛି, ୟୁକ୍ରେନ ଯୁଦ୍ଧରେ ଚୀନର ଆର୍ଥିକ କ୍ଷତି ତୂଳନାରେ ଭାରତର ଆର୍ଥିକ କ୍ଷତି ଘଟିବ।
ଆଇଏମଏଫର ଯୋଗାଯୋଗ ନିର୍ଦ୍ଦେଶକ ଗେରି ରାଇସ୍ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଭାରତର ଅର୍ଥବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବ। କୋଭିଡ୍-୧୯ ସମୟରେ ହୋଇଥିବା କ୍ଷତିଠୁ ବି ଭାରତ ଅଧିକ କ୍ଷତି ସହିବ। ଫେବୃଆରୀ ୨୪ରେ ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି। ନିର୍ଦ୍ଦେଶକ ଗେରି ରାଇସ୍ କହିଛନ୍ତି, କିଛି ଜିନିଷ ଭାରତ ପକ୍ଷରେ ଯାଇପାରେ। ଗହମ ପରି ସାମଗ୍ରୀ ରପ୍ତାନୀ କରି ଭାରତ ନିଜର ଆର୍ଥିକ ନିଅଣ୍ଟିଆକୁ କିଛିଟା ଭରଣା କରିପାରେ।
ରୁଷ ଏବଂ ୟୁକ୍ରେନ ଉଭୟ ଗହମର ବଡ ରପ୍ତାନୀକାରୀ ଦେଶ। ତେବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ଗହମ ରପ୍ତାନୀରେ ବିଶ୍ଵରେ ଭାରତର ଭଲ ବିକଳ୍ପ ହୋଇ ପାରିବ। ତେବେ ଗହମ ରପ୍ତାନୀରେ ଭାରତକୁ ସେତେଟା ଫାଇଦା ମିଳିବ ନାହିଁ। କାରଣ ଯୁ୍ଦ୍ଧରେ ଆମେରିକା, ୟୁରୋପୀୟ ୟୁନିୟନ ଏବ ଚୀନର ଅର୍ଥବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବ। ଏହି ସବୁ ଦେଶର ଆମଦାନୀ କ୍ଷମତା ମଧ୍ୟ ହ୍ରାସ ଘଟିବ। ଏଥିରେ ଭାରତର ରପ୍ତାନୀ ପ୍ରଭାବିତ ହେବ। ଅନ୍ୟପଟେ ଚୀନର ଆର୍ଥିକ ବାଧାବିଘ୍ନର ପ୍ରଭାବ ଭାରତ ଉପରେ ପଡିବ। ଏଥିରେ ଦେଶରେ ମହଙ୍ଗାଇ ବଢିବ।
ରାଇସ୍ କହିଛନ୍ତି, ମୋତେ ଲାଗୁଛି ଭାରତର ଅର୍ଥବ୍ୟବସ୍ଥା ଅନିଶ୍ଚିତତା ଦେଖାଦେବ। ତେବେ ଏଥିରେ କେତେ ଆର୍ଥିକ କ୍ଷତି ଘଟିବ ତାର ଅନୁମାନ କରିବା ମୁସ୍କିଲ। ତେବେ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କ ନୀତି କଣ ରହିବ ତାହା ଉପରେ ସବୁ କିଛି ନିର୍ଭର କରେ। ଚୀନ ବିଷୟରେ ଅନ୍ତର୍ଜାତୀୟ ମୁଦ୍ରା କୋଷ ଅନୁଯାୟୀ, ଡ୍ରାଗନ ଆର୍ଥିକ କ୍ଷତି ଆଶଙ୍କା ସେତେଟା ଗମ୍ଭୀର ନୁହେଁ। ୟୁକ୍ରେନ ଯୁଦ୍ଧରେ ଚୀନ ଉପରେ ସେତେ ଅଧିକ ପ୍ରଭାବ ପଡିବ ନାହିଁ ବୋଲି ରାଇସ୍ କହିଛନ୍ତି।