ରାଉରକେଲା : ଗତକାଲି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏହି ଘଟଣାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ ଗତକାଲି ୨ ଡିଜିଏମଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାରେ ଗତକାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ ୨ ଡିଜିଏମଙ୍କୁ ନିଲମ୍ବିତ କରିଥିଲେ। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ କୋଲ୍ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି. ବାରିକଙ୍କୁ ପ୍ଲାଣ୍ଟ ସିଇଓ ନିଲମ୍ବିତ କରିଥିଲେ। ଏଥିସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା | ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂଚାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ , ଗତକାଲି ପୂର୍ବାହ୍ନ ପ୍ରାୟ ୯ଟାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍ ହୋଇ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି।