ଗଞ୍ଜାମ: ଜିଲ୍ଲାପାଳଙ୍କ ପର୍ଯ୍ୟଟନ ସ୍ଥଳ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା | ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗସ୍ତରେ ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏପରି କି ସେ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ ଅଶୋକଙ୍କ ଅନୁଶାସନ ଲିଖିତ ଜଉଗଡର ବିକାଶ ଲାଗି ସ୍ଥାନ ନିକଟରେ ଥିବା ବଣ ଜଙ୍ଗଲ ଘେରା ପାହାଡକୁ ଚାଲି ଚାଲି ଚଢି ବୁଲି ଦେଖିଥିଲେ ।

ତେବେ ପର୍ଯ୍ୟଟନ ସ୍ଥଳୀ ଜଉଗଡକୁ ପରିଷ୍କାର ପରିଚ୍ଛନ ରଖିଥିବା ହେତୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଜିଲ୍ଲାପାଳ । ସେମାନଙ୍କ ସହ ଆଲୋଚନା କରି ବିକାଶ ନିମନ୍ତେ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ପର୍ଯ୍ୟଟନ ସ୍ଥଳରେ ଭୋଜି ଭାତ ନ କରିବା, ପ୍ଲାଷ୍ଟିକ ପଲିଥିନ ନ ପକାଇବା ଲାଗି ପରାମର୍ଶ ଦେଇଥିଲେ । ଯେପରି ଏଠାକୁ ପର୍ଯ୍ୟଟକମାନେ ଆସିବା ଲାଗି ଆଗ୍ରହ ପ୍ରକାଶ କରିବେ ସେନେଇ ପଦକ୍ଷେପ ନେବେ ବୋଲି କହିଥିଲେ ।

ଏହାସହ ମା’ ତାରାତାରିଣୀଙ୍କ ପୀଠରେ ପ୍ରାୟ ୫୦କୋଟି ଟଙ୍କାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବଡଖରିଡା ଗ୍ରାମ କାଳେଶ୍ଵର ମନ୍ଦିରରେ ପ୍ରାୟ ଦେଢ କୋଟି ଟଙ୍କାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପାର୍କ, ପୋଖରୀ ସୌନ୍ଦର୍ଯ୍ୟକରଣ, ରାସ୍ତା ଘାଟ କାର୍ଯ୍ୟ ମାନ ବୁଲି ବୁଲି ଦେଖି ସମୀକ୍ଷା କରିଥିଲେ। ଏଥିରେ ବିଡିଓ ବିଜୟ କୁମାର ବେହେରା, ଜିଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ସହକାରୀ ଯନ୍ତ୍ରୀ ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |