ଭୁବନେଶ୍ୱର: ଆସନ୍ତାକାଲି ଦେଶ ପାଳିବ ୭୨ତମ ଗଣତନ୍ତ୍ର ଦିବସ । ରାଜଧାନୀର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । କୋଭିଡ୍ କଟକଣା ଭିତରେ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । କୋଭିଡ୍ କଟକଣା ଥିବାରୁ ମହାତ୍ମା ଗାନ୍ଧି ମାର୍ଗରେ ସର୍ବସାଧାରଣ ଯାତାୟତ ବାରଣ କରାଯାଇଛି । ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନାନୁଯାୟୀ, ଆସନ୍ତାକାଲି ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ମହାତ୍ମା ଗାନ୍ଧି ମାର୍ଗ ବନ୍ଦ ରହିବ । ତେବେ ପରେଡ ସମୟରେ ଗାଡ଼ି କିମ୍ବା ଚାଲିକରି କେହି ବି ମହାତ୍ମା ଗାନ୍ଧି ମାର୍ଗରେ ଯାଇ ପାରିବେ ନାହିଁ । ଚଳିତଥର କରୋନା ପାଇଁ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ପରେଡରେ ଭାଗ ନେବେ ନାହିଁ । ପରେଡରେ କେବଳ ପୋଲିସ ଭାଗ ନେବ । ସୋମବାର କମିଶନରେଟ୍ ପୋଲିସ ଏଥିପାଇଁ ଟ୍ରାଫିକ୍ ରୁଟ୍ ଧାର୍ଯ୍ୟ କରିଛି । କେବଳ ସ୍ୱତନ୍ତ୍ର ଭାବେ ଅନୁମତି ଥିବା ଗାଡିକୁ ଏହି ରାସ୍ତା ଦେଇ ଛଡାଯିବ ।

ଏହାସହ ଯେଉଁ ଗାଡିଗୁଡିକ ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯାଉଥିବ ସେଗୁଡିକ କେଶରୀ ହଲରୁ ବାମ କଡ ଦେଇ ଯିବେ। ସେହିପର ଏଜି ଛକରୁ ପିଏଜି ଛକ ଆଡେ ଯାଉଥିବା ଗାଡି ଜୟଦେବ ଭବନରୁ ଇଡକଲ୍ ଅଡିଟୋରିୟମ ରାସ୍ତା ଦେଇ ଯିବେ । ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଗୁଡିକ ଏମଏଲଏ କଲୋନୀ ଦେଇ ଯିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହାବାଦ୍ ଜନପଥରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡିକୁ ଛଡା ଯିବନି। ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।