Odia News Portal

ଶ୍ରୀଜିଉଙ୍କ ଅଳଙ୍କାର ହେବ ମରାମତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ସୁନାବେଶ ଅନୁଷ୍ଠିତ ହେବା ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ହେବ ବୋଲି ସୂଚନା ମିଳିଛି । ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ । ଶ୍ରୀ ଜଗନ୍ନାଥଙ୍କ ଦୁଇଟି ଓ ବଳଭଦ୍ରଙ୍କ ଦୁଇଟି ଶ୍ରୀଭୂଜ ମରାମତି ହେବ ବୋଲି ସୂଚନା ମିଳିଛି । ଅଳଙ୍କାର ମରାମତି ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ । ଏସବିଆଇରୁ ୧୨୦୦ ଗ୍ରାମ ସୁନା ଅଣାଯାଇ ମରାମତି କାର୍ଯ୍ୟ କରାଯିବ । ବେସରକାରୀ ଅନୁଷ୍ଠାନ ଦାୟିତ୍ୱରେ ୪ ଜଣ କାରିଗର ମରାମତି କରିବେ । ଦ୍ୱାଦଶୀ ତିଥିରୁ ନାଭିକଟା ମଣ୍ଡପରେ ମରାମତି କାର୍ଯ୍ୟ କରାଯିବ ।

ତେବେ ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇସାରିଛି ନୀତି ନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ । ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ । ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ ।