ଭୁବନେଶ୍ୱର: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ବଜାରରୁ ପ୍ରତ୍ୟାହାର ହେବା ନେଇ ଗୁଜବକୁ ଖଣ୍ଡିତ କରିଛି ଆର୍ବିଆଇ | ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗୁଜବ ବୋଲି ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।


ସୂଚନାନୁଯାୟୀ, ନିକଟ ଅତୀତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିଲା କି ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା ନୋଟ୍ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି । ଦେଶର ଶୀର୍ଷ ବ୍ୟାଙ୍କ୍ ଏହି ପୁରୁଣା ନୋଟ୍ଗୁଡ଼ିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି। ରିଜର୍ଭ ବ୍ୟାଙ୍କ୍ର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍ ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟ୍କୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଯୋଜନା କରୁଥିବା କହିଥିଲେ । ମାତ୍ର ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସେପରି କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ବ୍ୟାଙ୍କ୍ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଟ୍ୱିଟ୍ କରି ଲେଖିଛି ଯେ ‘ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରକାଶ ପାଇଥିଲା। ଆମେ ନିଶ୍ଚିତ କରୁଛୁ ଯେ ଏହି ଖବର ଏକ ଗୁଜବ ଅଟେ ।’