ଭୁବନେଶ୍ୱର: ବଙ୍ଗୋପସାରରେ ସୃଷ୍ଟି ହୋଇଛି ଲଘୁଚାପ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ରବିବାର ବାଦଲ ଫଟା ବର୍ଷା ହୋଇଛି । ସକାଳ ୮.୩୦ ରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ୧୯୫.୦ ମିଲିଲିଟର୍ ବର୍ଷା ହେବାରୁ ଭୁବନେଶ୍ବର ତା’ର ସର୍ବକାଳୀନ ସେପ୍ଟେମ୍ବର ବର୍ଷା ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡ ସୃଷ୍ଟି କରିଥିବା କଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି।

୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ।

ଉଲ୍ଲେଖଯୋଗ୍ୟ, ରବିବାର ସକାଳୁ ରାତି ପର୍ୟ୍ୟନ୍ତ ଭୁବନେଶ୍ବରରେ ଅନର୍ଗଳ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥ ପାର୍ଶ୍ବବର୍ତ୍ତୀ ଉଠା ଦୋକାନ ଠାରୁ ଆରମ୍ଭ କରି ନାମୀଦାମୀ ସୋ’ରୁମ୍ଗୁଡ଼କ ମଧ୍ୟ ବର୍ଷାପାଣି ଘେରରେ ରହିଛି। ବର୍ଷା ପାଣି ସ୍ରୋତରେ ବାଇକ୍ ଓ କାର୍ ଭଳି ଯାନ ସବୁ କାଗଜଡଙ୍ଗା ଭାସିବା ଭଳି ଭାସୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ।