Odia News Portal

କାଲିଠୁ କମିପାରେ ବର୍ଷା

ଭୁବନେଶ୍ୱର: ଲଘୁଚାପ ବି ବିଶେଷ ବର୍ଷା ଆଣିପାରିନାହିଁ ଓଡ଼ିଶାକୁ । ଏବେ ବି ଅଧା ଓଡ଼ିଶାରେ ବର୍ଷା ସଙ୍କଟ ସ୍ଥିତି ବଳବତ୍ତର ରହିଛି । ପାଣିପାଗ ପୂର୍ବାନୁମାନ ହେଲା, ଶୁକ୍ରବାର ରାଜ୍ୟର ଅନେକ ଜାଗାରେ ବର୍ଷା ହେବ । ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ମାତ୍ର ଶନିବାରଠାରୁ ବର୍ଷା ପୁଣି କମିଯିବ । କାଁ ଭାଁ ବର୍ଷା ହେବ ରାଜ୍ୟରେ ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଗୁରୁବାର ବାରିପଦାରେ ୨୫ ମିଲିମିଟର ବର୍ଷା ହୋଇଥିବାବେଳେ ବାକି ସବୁଠି ୨୦ ମିମିରୁ କମ୍ ବର୍ଷା ହୋଇଛି । ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ବଲାଙ୍ଗିରରେ ୧୯ ମିମି, ସୋନପୁରରେ ୧୨, ଟିଟିଲାଗଡ଼ରେ ୧୨ ମିମି ବର୍ଷା ହୋଇଛି । ବାକି ସବୁଠି ହାଲୁକା ବର୍ଷା ଛିଞ୍ଚିଛି । ପାଣିପାଗ ବିଭାଗ କହିଛି, ଲଘୁଚାପ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଅଛି । ୪୮ ଘଣ୍ଟା ଭିତରେ ଏହା ପଶ୍ଚିମକୁ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ମଧ୍ୟ ଦେଇ ଅତିକ୍ରମ କରିବ ।

ଏହା ପ୍ରଭାବରେ ଶୁକ୍ରବାର (୩୦ ତାରିଖ) ଉତ୍ତର ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାର ମୁଖ୍ୟତଃ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ରବିବାରଠାରୁ ବର୍ଷା ଆହୁରି କମିଯିବ, କୌଣସି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା କମ୍ ରହିଛି । ଜୁନ୍ ୧ରୁ ଏଯାଏ ରାଜ୍ୟରେ ୨୧% ବର୍ଷା କମ୍ ହୋଇଛି । ୧୫ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ ନିଅଣ୍ଟିଆ ଅଛି।