ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ତଥା ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର କୋଚ୍ ଦାୟିତ୍ୱ ନେବେ। ଭାରତୀୟ କ୍ରିକେଟ୍ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ଵ ଗ୍ରହଣ କରିବେ।
ବାଙ୍ଗାଲୋରରେ ଏନସିଏ ମୁଖ୍ୟ ହେବା ପରେ ଦ୍ରାବିଡ ଭାରତ-ଏ ଓ ଅଣ୍ଡର-୧୯ ଦଳର କୋଚ୍ ଭୂମିକା ତୁଲାଇ ସାରିଛନ୍ତି । ଏବେ ସେ ସିନିୟର ଦଳରେ ସାମିଲ ହେବାକୁ ଯାଉଛନ୍ତି । ରବି ଶାସ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ଦ୍ୱିତୀୟ ପର୍ଯ୍ୟାୟ ଭାରତୀୟ ଦଳର କୋଚ୍ ହେବେ। ଶାସ୍ତ୍ରୀ ସେହି ସମୟରେ ଇଂଲଣ୍ଡରେ ଭାରତୀୟ ଟେଷ୍ଟ ଦଳ ସହିତ ରହିବେ।

ବିସିସିଆଇର ଏକ ସୂତ୍ର ପିଟିଆଇକୁ କହିଛି ଯେ ସେ ପୂର୍ବରୁ ସମସ୍ତ ଖେଳାଳିଙ୍କ ସହ ପ୍ରାୟ କାମ କରିସାରିଛନ୍ତି । ଏଥିରେ ଯୁବ ଖେଳାଳିଙ୍କୁ ଅତିରିକ୍ତ ଲାଭ ମିଳିବ । ଦ୍ରାବିଡ ୨୦୧୬ରୁ ୧୯ ଯାଏଁ ଇଣ୍ଡିଆ-ଏ ଓ ଅଣ୍ଡର-୧୯ ଦଳର କୋଚ୍ ରହିଥିଲେ । ସେ କୋଚ୍ ରହିଥିବା ବେଳେ ୨୦୧୬ ଅଣ୍ଡର-୧୯ ବିଶ୍ୱକପ ରନର୍ସ ଅଫ୍ ଥିବା ବେଳେ ୨୦୧୮ ବିଶ୍ୱକପ ଜିତିଥିଲା ଭାରତ । ତାଙ୍କୁ ୨୦୧୯ରେ ବିସିସିଆଇ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ କରିଥିଲା । ୨୦୧୪ରେ ସେ ଇଂଲଣ୍ଡ ଗସ୍ତରେ ଭାରତର ବ୍ୟାଟିଂ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାୱନ ଏବଂ ଶ୍ରେୟସ୍ ଆୟର୍ ଅଧିନାୟକ ହୋଇପାରନ୍ତି। ଏହା ଦେଖିବାକୁ ବାକି ରହିଲା ଯେ ଆଇୟର ସେହି ସମୟ ପର୍ଯ୍ୟନ୍ତ କାନ୍ଧରେ ଆଘାତରୁ ମୁକ୍ତି ପାଇପାରିବେ କି ନାହିଁ ?
ସେହିଭଳି ସୂଚନା ଅନୁଯାୟୀ, ଭାରତ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଁଚିବ । ପ୍ରଥମ ଦିନିକିଆ ୧୩ ତାରିଖରେ ଖେଳାଯିବ । ଏହାପରେ ଟି୨୦ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେବ । ସମସ୍ତ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।