ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍, ଟ୍ୟାବ୍, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ ଶୁଣିବାର ନିଆରା ସଉକ ଏବେ ବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଥାକରେ କଏଦ୍ ହୋଇଯାଇଥିବା ରେଡିଓ କଥା ବେଶି ମନେ ପଡ଼ୁଛି।
କୁମ୍ଭାରପଡ଼ା ଲେଙ୍କା ସାହିରେ ଦୋକାନ କରିଥିବା ସୁରେନ୍ଦ୍ର ପଟ୍ଟନାୟକଙ୍କ କହିବା ମୁତାବକ, ରେଡିଓ ତାଙ୍କ ୫୦ ବର୍ଷର ସାଥୀ। ୧୨ ବର୍ଷ ବୟସରେ ସେ ବିଭିନ୍ନ ସ୍ଥାନରେ ଦୋକାନ କରିଛନ୍ତି। ସବୁବେଳେ ରେଡିଓ ତାଙ୍କ ସାଥିରେ ରହିଛି। ବ୍ୟବସାୟ ଚାଲିଥାଏ, ଏଣେ ଦୁନିଆଯାକର ଖବର ବି କାନରେ ବାଜୁଥାଏ। ଦୁନିଆ ଏତେ ଆଗକୁ ଗଲାଣି ଯେ ଲୋକେ ରେଡିଓର ଗୁରୁତ୍ବ ଭୁଲିଗଲେଣି। କିନ୍ତୁ ବାତ୍ୟା ବନ୍ୟା ସବୁ ସମୟରେ ମୋ ପାଖରେ ରେଡିଓ ଥାଏ। ଖବର ହେଉ ଅବା ସଂଗୀତ; ସବୁକିଛି ଏହି ରେଡିଓ ଯୋଗାଇ ଆସିଛି ବୋଲି ସେ କହିଛନ୍ତି।