ଆଜି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ । ୨୯ତାରିଖ ବୁଧବାର ମୂଳାଷ୍ଟମୀ । ଉକ୍ତ ଦିବସରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା ବା ଷୋଳ ପୂଜା । ମା’ ବିମଳାଙ୍କ ପୀଠରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ଏହି ଅବସରରେ ଦୁର୍ଗାମାଧବ ଉପାସନା କରାଯିବ ।
ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନାର ପ୍ରଚଳନ ରହିଛି । ଏହି ୧୬ଦିନ ବ୍ୟାପି ଦୁର୍ଗା-ମାଧବ ଉପାସନକୁ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯିବ।