ଗୋଟିଏ କୋଠାରେ ରହିବ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଏଠାରେ ରହିବ। ଯାହାର ନାଁ ରହିବ ଲୋକସେବା ଭବନ। ପୁରୀ ଜିଲ୍ଲାର ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ, କୋର୍ଟ, କଚେରି ଆଦି ଗୋଟିଏ ଛାତ ତଳେ କାମ କରିବେ। ମିନି ସଚିବାଳୟ ଭଳି ଏହା କାର୍ଯ୍ୟ କରିବ। ଫଳରେ ଲୋକଙ୍କୁ ସେବା ପ୍ରଦାନ ସହଜ ହୋଇପାରିବ। ୪ ବର୍ଷ ତଳେ ଏହି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଲୋକସେବା ଭବନର ଘୋଷଣା ପରେ ଜିଲ୍ଲା ପ୍ରଶାସନ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିଲା। ବଳିଆପଣ୍ଡା ଅଞ୍ଚଳରେ ଜାଗା ଚିହ୍ନଟ ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କୋର୍ଟ ସ୍ଥାନାନ୍ତରକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଏହି ପ୍ରକଳ୍ପ ଅଟକି ରହିଛି। ଏହା ଭିତରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନେ ଆଇନଜୀବୀଙ୍କ ସହ ଏକାଧିକ ଥର ଆଲୋଚନା କରି ସାରିଲେଣି। ତଥାପି କେହି ଶୁଣିବାକୁ ନାରାଜ। ଫଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।
ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ଲକ୍ଷ୍ୟରେ ୨୦୧୯ ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଯେଉଁଥିରେ ଲୋକସେବା ଭବନ ସହ ୪୦୦ ଗାଡ଼ି ପାର୍କିଂ ପାଇଁ ପୁରୁଣା ଜେଲ୍ ଓ ବେଳାମାର୍ଗରେ ବହୁତଳ ପାର୍କିଂ, ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ପାଇଁ ୧୨୫୦ ନୂଆ ଦୋକାନ ଘର, ଆଚାର୍ଯ୍ୟ ହରିହର ଛକର ଉନ୍ନତୀକରଣ ଆଦି ଯୋଜନା ଅନ୍ତର୍ଭୁକ୍ତ ଥିଲା। ପ୍ରସ୍ତାବିତ ଏହି ଲୋକସେବା ଭବନ ପାଇଁ ୧୦ ଏକର ଜମି ଆବଶ୍ୟକ ଥିଲା। ଯେଉଁଥିରୁ ୧୬୦୦୦୯ ବର୍ଗଫୁଟ ଜାଗାରେ ଲୋକସେବା ଭବନ ନିର୍ମାଣ ଓ ୫୫ହଜାର ବର୍ଗଫୁଟରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ବି ଏ ବାବଦକୁ ୬୪.୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ପରେ ଜିଲ୍ଲା ପ୍ରଶାସନ ବଳିଆପଣ୍ଡା ନିକଟରେ ଲୋକସେବା ଭବନ ପାଇଁ ସ୍ଥାନ ଚିହ୍ନଟ କରିବା ସହ ଉଚ୍ଛେଦ କାମ ଆରମ୍ଭ କରିଥିଲା। ଯେହେତୁ ବଳିଆପଣ୍ଡାର ହୋଟେଲ ଷ୍ଟର୍ଲିନଠାରେ ପୁରୀ-ଭୁବନେଶ୍ବର ବାଇପାସ୍ ରାସ୍ତା ସଂଯୋଗ କରୁଛି ଓ ଗମନାଗମନ ଦୃଷ୍ଟିରୁ ଏହା ସୁବିଧା ହେବ, ସେ ଦୃଷ୍ଟିରୁ ଏହି ସ୍ଥାନକୁ ଲୋକସେବା ଭବନ ପାଇଁ ଉପଯୁକ୍ତ ବୋଲି ଜିଲ୍ଲା ପ୍ରଶାସନ ଦାବି କରିଥିଲା। ଚିହ୍ନଟ ସ୍ଥାନରେ ବେଆଇନ୍ ଭାବେ ବୁଲିଥିବା ପଥର ପାଚେରି ସହ ଏକାଧିକ ଆଜ୍ବେଷ୍ଟସ୍ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା।
ଇତିମଧ୍ୟରେ ସମସ୍ତଙ୍କ ସହମତି ମିଳି ସାରିଥିବାବେଳେ ଆଇନଜୀବୀମାନେ କିନ୍ତୁ ନଛୋଡ୍ବନ୍ଧା। କୌଣସି ପରିସ୍ଥିତିରେ କୋର୍ଟକୁ ସ୍ଥାନାନ୍ତର କରାଇ ଦେବେନାହିଁ ବୋଲି ଯୁକ୍ତି ବାଢ଼ି ଆସୁଛନ୍ତି। ବଳିଆପଣ୍ଡାକୁ ଯଦି କୋର୍ଟ ଘୁଞ୍ଚିଯାଏ, ଲୋକେ ଅସୁବିଧାରେ ପଡ଼ିବେ। ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ ଏହା ସମସ୍ୟା ସୃଷ୍ଟି କରିବ। ଆଇନଜୀବୀମାନେ ବି ସମ ପରିମାଣରେ ଅସୁବିଧା ଭୋଗିବେ। ମାମଲା ପରିଚାଳନାରେ ସମସ୍ୟା ସଅଷ୍ଟି ହେବ ବୋଲି ମତ ଦେଇଥିଲେ। ଏସମ୍ପର୍କରେ ଅନେକ ଥର ଜିଲ୍ଲା ଓ ଦୌରାଜଜ୍, ଜିଲ୍ଲାପାଳ ଓ ଆଇନଜୀବୀଙ୍କ ସହ ଅନ୍ୟ ଅଧିକାରୀଙ୍କ ମିଳିତ ବୈଠକ ବସି ସାରିଛି। ପ୍ରଶାସନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ସବୁଦୃଷ୍ଟିରୁ ସୁବିଧା ହେବ ବୋଲି ଯୁକ୍ତି ଦର୍ଶାଇଥିବା ବେଳେ ଆଇନଜୀବୀମାନେ କିନ୍ତୁ ନିଜ ଯୁକ୍ତିରେ ଅତୁଟ ରହିଛନ୍ତି। ଫଳରେ ଏହି ପ୍ରକଳ୍ପ ଆଗେଇ ପାରିନି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, କୋର୍ଟ ସ୍ଥାନାନ୍ତରକୁ ନେଇ ବିବାଦ ରହିଥିବାରୁ ଲୋକସେବ ଭବନ କାମରେ ଅଦ୍ୟାବଧି ସେତେଟା ଅଗ୍ରଗତି ହୋଇନି।