Odia News Portal

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଖୋଲିବାକୁ ଯାଉଛି ଶ୍ରୀମନ୍ଦିର |ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କଟକଣା ମଧ୍ୟରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ ୯ମାସ ହେବ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ତେବେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ସେବାୟତଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ।

ସହରବାସୀଙ୍କ ଦର୍ଶନ ନିମନ୍ତେ କିନ୍ତୁ ୱାର୍ଡୱାରୀ ବ୍ୟବସ୍ଥା କରାଯିବ। ୪ ଘଣ୍ଟା ପର୍ଯ୍ୟନ୍ତ ପ୍ରତି ୱାର୍ଡବାସୀଙ୍କୁ ମିଳିବ ଦର୍ଶନ ସୁବିଧା । ତେବେ କେଉଁ ୱାର୍ଡକୁ କେବେ ଦର୍ଶନ ସୁବିଧା ମିଳିବ ସେନେଇ ସ୍ଥିର କରାଯିବ। ସେହିପରି ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ପରିଚୟ ପତ୍ର ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ, ଯେଉଁଥିପାଇଁ ୮ରୁ ୧୦ କାଉଣ୍ଟର ରହିବ। ପରିଚୟ ପତ୍ର ନଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଜାନୁଆରି ୩ ତାରିଖ ପରଠୁ ପୁରୀ ସହର, ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ତଥାପି ଦୈନିକ ୧ ଘଣ୍ଟା ସକାଳେ ଓ ସନ୍ଧ୍ୟାରେ ଦର୍ଶନ ପାଇଁ ସୁବିଧା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିର ପ୍ରବେଶ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ହେବ । ଦର୍ଶନାର୍ଥୀ ମାନେ ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ଯିବେ ଏବଂ ଜୋତା ଓ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା କରାଯିବ । ଏପରିକି ୧୨ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ଏବେ ଜଗା ଦର୍ଶନ କରିବାକୁ ମିଳିବନି ଅନୁମତି । ତେବେ ଭିଡ଼ ନଥିଲେ ବୟସ୍କ ମାନେ ଗରୁଡ଼ ସ୍ତମ୍ଭ ଯାଏଁ ଯାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।