Odia News Portal

ପ୍ରଥମ ଟେଷ୍ଟରେ କ୍ଲିନ୍ ବୋଲଡ୍ ପୃଥ୍ୱୀ ସ’,ସୋସିଆଲ ମିଡିଆରେ ବଢ଼ିଲା ଟ୍ରୋଲ୍

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଆଡିଲେଡ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ।ଟେଷ୍ଟ୍ ସିରିଜର ଚୂଡାନ୍ତ ଏକାଦଶରେ ପୃଥ୍ୱୀ ସ’ଙ୍କୁ ସାମିଲ କରାଯାଇଛି । କିନ୍ତୁ ଶୁଭମନ ଗିଲ୍ ଓ କେଏଲ ରାହୁଲଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି ।ଖରାପ ଫର୍ମ ଦେଇ ଗତି କରୁଥିବା ପୃଥ୍ୱୀ ସ’ ପ୍ରଥମ ପାଳିରେ ମାତ୍ର ୨ଟି ବଲ୍ ଖେଳିପାରିଥିଲେ । ପୃଥ୍ୱୀ ସ’ ଓ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍ ଯିବା ପରେ ଚେତେଶ୍ୱର ପୂଜାରା ମଧ୍ୟ ଆଉଟ୍ ହୋଇଛନ୍ତି। ସେ ୪୯.୪ ଓଭରରେ କ୍ୟାଚ୍ ଆଉଟ ହୋଇଥିଲେ। ସେ ୧୬୦ଟି ବଲ୍ ଖେଳି ୪୩ ରନ୍ କରିଥିଲେ। ତା’ ଭିତରେ ୨ଟି ଚୌକା ରହିଥିଲା।

ଏବେ ପର୍ଯ୍ୟନ୍ତ ଦଳ ୭୯ ଓଭରରେ ୧୯୩ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୭୪ ରନ୍ କରି ପାରିଛନ୍ତି। ସେହିପରି ଆଜିଙ୍କ୍ୟ ରାହାଣେ ୨ ରନ୍ କରିଛନ୍ତି।ଆଜି ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୃଥ୍ୱୀ ସ’ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିବାକୁ ଆସିଥିଲେ। କିନ୍ତୁ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ୧୮.୧ ଓଭରରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ମୟଙ୍କ। ସେ ୪୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ରନ୍ କରିଥିଲେ। ତା’ମଧ୍ୟରେ ଦୁଇଟି ଚୌକା ଥିଲା।

ଅନ୍ୟ ଖେଳାଳୀଙ୍କ ମଧ୍ୟରୁ ପୃଥ୍ୱୀ ବିନା କୌଣସି ରନ୍‌ରେ ପ୍ୟାବିଲିୟନ ଫେରିଥିଲେ । ଅଭ୍ୟାସ ମ୍ୟାଚରେ ୪ଟି ଇନିଂସରୁ ୬୨ ରନ୍ କରିଥିବା ପୃଥ୍ୱୀଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ପିଙ୍କ୍ ବଲର ମୁକାବିଲା ସେ କରିପାରିନଥିଲେ । ସେ ଷ୍ଟାର୍କଙ୍କ ଦ୍ୱିତୀୟ ବଲରେ ହିଁ କ୍ଲିନ୍ ବୋଲଡ୍ ହୋଇଯାଇଥିଲେ ।ଏହାପରେ ସୋସିଆଲ ମିଡିଆରେ ପୃଥ୍ୱୀଙ୍କୁ ଟ୍ରୋଲ୍ କରାଯିବା ସହ ବିରାଟ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ମଧ୍ୟ କ୍ରିକେଟ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି ।