କୋରାପୁଟ: ଜୟପୁର ସ୍ଥିତ କୋଟପାଡ଼ ଥାନା ଏନଏଚ୍-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିଲା। କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ | ଏହି ଅର୍ଥ ରାଶି ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ ।
ଏହାଛଡା ପ୍ରଧାନମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୋରାପୁଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଜାତୀୟ ରିଲିଫ୍ ଫଣ୍ଡରୁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା କୋଟପାଡ ଥାନା ସିନ୍ଧିଗା ନିକଟରେ ଏକ ପିକଅପ୍ ଭ୍ୟାନ ଓଲଟିପଡିଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଯିବା ସହିତ ଅନେକ ଆହତ ହୋଇଥିଲେ । ସେମାନେ ଏକ ଦଶାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।