ପୁରୀ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କୋଣାର୍କ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିଲେ ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଣାର୍କ ମନ୍ଦିର ବୁଲି ଦେଖିବା ପରେ ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତେବେ ଏହାପରେ ମଧ୍ୟାହ୍ନ ଭୋଜନ କୋଣାର୍କ ଯାତ୍ରୀ ନିବାସରେ କରିବା କାର୍ଯ୍ୟସୂଚୀ ରହିଛି ।ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ କୋଣାର୍କରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି । ଏହାଛଡା ସମ୍ବେଦନଶୀଲ ସ୍ଥାନରେ ଏସପି ଓ ତାଙ୍କର ଜଣେ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି ।