ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, କରୋନା କାଳରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କରୋନା ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ମଧ୍ୟ କରୋନା କାରଣରୁ ମୃତ୍ୟୁ ଘଟିଛି। ଏହା ସହ କରୋନା କାରଣରୁ ସଂସଦର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କହି ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେ କହିଥିଲେ ଯେ ଯେତେ ପରୀକ୍ଷା ଆସୁ ଭାରତ କେବେ ଅଟକିବ ନାହିଁ |ଯେବେ ଏମିତି କିଛି ପରୀକ୍ଷା ସମୟ ଆସିଛି ଭାରତ ଆଗକୁ ଉଠିଛି | ଯେବେ ବି କିଛି ବିପଦ ଆସିଛି ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି | ଆଜି ଭାରତ ଏକ ନୂଆ ସାମର୍ଥ୍ୟର ସହ ବିଶ୍ୱରେ ଆଗକୁ ଆସିଛି | ସେହିଭଳି କରୋନା କାଳରେ କେହି ଯେମିତି ଭୋକରେ ନରହିବେ ସେ ନେଇ ବ୍ୟବସ୍ଥା କରାଯାଇଛି |କରୋନା ସମୟରେ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଇଥିଲା ତଥା ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା | ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା |
ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶକୁ ଅନୁସରଣ କରି ମୋ ସରକାର ଏମଏସପି ମୂଲ୍ୟ ଦ୍ୱିଗୁଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୋ ସରକାର କେବଳ ଏମଏସପିରେ ରେକର୍ଡ ପରିମାଣ କ୍ରୟ କରୁନାହାଁନ୍ତି, ବରଂ କ୍ରୟ କେନ୍ଦ୍ରିକ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରୁଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ୬ ବର୍ଷରେ ସରକାର ବିହନ ଠାରୁ ବଜାର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି। ଯାହା ଦ୍ୱାରା ଭାରତୀୟ କୃଷି ଆଧୁନିକୀ କରଣ ହୋଇପାରିବ ଏବଂ କୃଷିର ମଧ୍ୟ ବିସ୍ତାର ହୋଇପାରିବ।

ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ୧୪ କୋଟି ଅଧିକ ଗ୍ୟାସ୍ ମାଗଣାରେ ମିଳିଛି । ଏବେ ଦେଶର ୨୪ ହଜାରରୁ ଅଧିକ ହସ୍ପିଟାଲରେ ଆୟୁଷ୍ମାନ ଯୋଜନାର ଲାଭ ମିଳୁଛି । ପ୍ରଧାନମନ୍ତ୍ରୀ ଜନ ଔଷଧୀ ଯୋଜନାରେ ପୂରା ଦେଶରେ ୭ ହଜାର କେନ୍ଦ୍ରରେ ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଉଛି । ସେହିଭଳି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଦେଶରେ ମେଡିକାଲ କଲେଜ ବଢିବା ଜରୁରୀ | ୨୦୧୪ରେ ଦେଶରେ ୩୮୭ଟି ମେଡିକାଲ କଲେଜ ଥିଲା | ଏବେ କିନ୍ତୁ ଏହାର ସଂଖ୍ୟା ବୃଦ୍ଧି କରାଯାଇ ୫୬୨ କରାଯାଇଛି | ଦେଶରେ ଆଉ ୨୨ ଏମସ ସ୍ଥାପନ କରାଯାଇଛି | ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା କାରଣରୁ ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମକୁ ମନେ ପକାଇ ଦେଇଥିଲା ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କାହିଁକି ଗୁରୁତ୍ୱପୂର୍ଣ୍ଣ ? ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି | ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରସଂଶା ପାଉଛି | ଏହି କାର୍ଯ୍ୟକ୍ରମର ଉଭୟ ଟିକା ଭାରତରେ ନିର୍ମିତ ହୋଇଛି। ଏହି ସଙ୍କଟ ସମୟରେ ଭାରତ ମାନବିକତା ପ୍ରତି ନିଜର ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ଦେଶକୁ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ଯୋଗାଇ ଦେଇଛି।