Odia News Portal

ଭକ୍ତଙ୍କ ପାଇଁ ସହଜ ହେଲା ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ସହଜ ହେଲା ଜଗା ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆଯାଇଛି।ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍‌କୁ ପ୍ରଶାସନ ହଟାଇ ଦେଇଛି। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି ଦିଆଯାଇଛି ।

ସୂଚନା ଅନୁଯାୟୀ,ଭକ୍ତଙ୍କ ସହଜ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍‌କୁ ପ୍ରଶାସନ ହଟାଇ ଦେଇଛି। ଆଜିଠାରୁ ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ ହେବ । ଦର୍ଶନାର୍ଥୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ଛୋଟ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ୍‌ ସିଂ ।

ରବିବାର ଶ୍ରୀମନ୍ଦିର ପରିସର ବିଶୋଧନ କରାଯାଇଥିଲା । ସେଥିପାଇଁ ମନ୍ଦିର ବନ୍ଦ ରହିଥିଲା । ଦମକଳ ବିଭାଗ ପକ୍ଷରୁ ବଡ଼ଦେଉଳ ସମେତ ଚତୁପାର୍ଶ୍ୱକୁ ବିଶୋଧନ କରାଯାଇଥିଲା ।ଆଜିଠାରୁ ପୁଣି ସର୍ବସାଧାରଣ ଦର୍ଶନ ଚାଲିଛି । ଭକ୍ତମାନେ ସହଜରେ ମରିଚିକୋଟ ଛକ ଠାରୁ ବ୍ୟାରିକେଡ୍‌ରେ ଯାଇ ବଡ଼ଦେଉଳକୁ ପ୍ରବେଶ କରୁଛନ୍ତି । ବହୁତ୍ ଲମ୍ବା ବ୍ୟାରିକେଡ୍‌ କାରଣରୁ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଛୋଟ ପିଲାଙ୍କୁ ଧରି ବ୍ୟାରିକେଡ୍‌ରେ ଦୀର୍ଘ ସମୟ ରହିବା କଷ୍ଟକର ହେଉଥିଲା। ବରିଷ୍ଠ ନାଗରିକମାନେ ବ୍ୟାରିକେଡ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନଥିଲେ । ଫଳରେ ଶନିବାର ଶ୍ରୀମନ୍ଦିରର ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା‌ କୋହଳ କରିଥିଲା ।