Odia News Portal

୪୦ କି.ମି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ପୁଣି  ଭାରରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪୦ କିଲୋମିଟର ଭାର ଯୋଗେ ବୁହା ହୋଇ ଜନ୍ମ ଦେଲେ କନ୍ୟା ସନ୍ତାନ। ତେବେ ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଂଚାୟତ ର ବିଛିନାଞ୍ଚଳ ଗ୍ରାମ ଗଙ୍ଗାପଡା ରେ ଦେଖିବାକୁ ମିଳିଥିଲା। ଗଙ୍ଗାପଡା ଗ୍ରାମର ଲୋଚନ ବିଷୋୟୀ ଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଗର୍ଭବତୀ ଅବସ୍ଥାରେ ଥିଲେ। ତେବେ ହଠାତ ଆଜି ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ତେବେ ସେହି ଗ୍ରାମକୁ ରାସ୍ତା ନଥିବାରୁ ବାଧ୍ୟହୋଇ ପାହାଡ଼ ପଥୁରିଆ ରାସ୍ତା ଦେଇ ପ୍ରଥମେ ଗଙ୍ଗାପଡା ରୁ ବାୟାପଡା ଗ୍ରାମର ୨ ଯୁବକ ବୋହି ନେଇ ଆସିଥିଲେ। ପରେ ବାୟାପଡା ଗ୍ରାମରୁ ଅର୍ଜୁନ ଭଜ ନାମକ ଜଣେ ଛାତ୍ର ଏବଂ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ବାୟାପଡା ଠାରୁ ତୁମ୍ବାପଦର ଗ୍ରାମକୁ ନେଇ ଆସିଥିଲେ। ଆଶା ଦିଦି ପାଣ୍ଡ୍ରି ଭଜ ଏହି ଗର୍ଭବତୀ ମହିଳା ଙ୍କ ସହ ମଧ୍ୟ ଚାଲି ଚାଲି ଆସିଛନ୍ତି। ଦୀର୍ଘ ୪୦ କିଲୋମିଟର ଭାର ରେ ବୋହି ଆଣିବା ପରେ ତୁମ୍ବାପଦର ଗ୍ରାମରେ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ରୁ ଆମ୍ବୁଲାନ୍ସ ଆସି ଜଗି ରହିଥିଲା। ସେଠାରୁ ଗର୍ଭବତୀ ମହିଳା ଜଣଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁବୁଦ୍ରୀ ଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ତେବେ ପୂର୍ବରୁ ମଧ୍ୟ ଏଭଳି ଜନନୀ ଯନ୍ତ୍ରଣା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଏପରି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।