ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ଅର୍ଥାତ ଦ୍ୱିତୀୟଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ପ୍ରତି ଦଳର ୨୦ ବିଧାୟକଙ୍କ ମଧ୍ୟରୁ ୧୭ ଜଣଙ୍କ ସମର୍ଥନ ରହିଛି । କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ହୋଲି ପରେ ଗୋଆରେ ନୂଆ ସରକାର ଗଠନ ହେବ । ନୂଆ ସରକାର ଗଠନ ଲାଗି ବିଜେପି ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଏଲ୍ ଗୁରୁଗାନଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଗୋଆକୁ ପଠାଇଛନ୍ତି । ସେମାନେ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବା ସହ ଯାହାଙ୍କ ପ୍ରତି ଅଧିକ ବିଧାୟକଙ୍କ ସମର୍ଥନ ରହିବ ତାଙ୍କୁ ହିଁ ଦଳର ନେତା ବାଛିବେ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୪୮ ବର୍ଷୀୟ ସାୱନ୍ତଙ୍କ ପ୍ରତି ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିବାରୁ ସେ ହିଁ ନୂଆ ମୁଖ୍ୟମନ୍ତ୍ରୀ ହେବେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦ ଆସନରୁ ବିଜେପିକୁ ୨୦ଟି ଆସନ ମିଳିଛି । ୩ ଜଣ ସ୍ୱାଧୀନ ବିଧାୟକ ବିଜେପି ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ସେହିଭଳି ଏମ୍ଜିପିର ୨ ଜଣ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେଉଛନ୍ତି । ସାୱନ୍ତ ସାଙ୍କେଲିମ୍ ଆସନରୁ ମାତ୍ର ୬୬୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସାୱନ୍ତଙ୍କ ସହ ମୁଖ୍ୟମନ୍ତ୍ରୀ ପଦବି ଦୌଡରେ ବିଶ୍ୱଜିତ ରାଣେଙ୍କ ନାମ ଚର୍ଚ୍ଚାକୁ ଆସିଥିଲା ।