କେରଳ: କୋଭିଡ ହସ୍ପିଟାଲରେ ପଡ଼ିଲା ହାତ ଗଣ୍ଠି । ପିପିଇ କିଟ୍ ପିନ୍ଧି ବିବାହ ବେଦୀରେ ବସିଲେ କନିଆଁ । ଆଉ ସାତ ଜନମର ସାଥି ହେଲେ କେରଳର ଏହି ନବ ଦମ୍ପତ୍ତି । କେରଳର ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି ।
ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା ଟେଷ୍ଟ୍ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ କରୋନାରେ ଆକ୍ରାନ୍ତ ହୋଇ କେରଳ ଆଲ୍ଲାପୂଜା କୋଭିଡ ହସ୍ପିଟାଲରେ ଚିକିତ୍ସ ହେଉଥିଲେ ବର । ଆଉ କନିଆଁ ମୁହଁରେ ମାସ୍କ, ହାତରେ ଗ୍ଲୋଭ୍ସ ପିନ୍ଧି ପିପିଇ କିଟ୍ ସହ କୋଭିଡ ୱାର୍ଡକୁ ପ୍ରବେଶ କରିଥିଲେ । ଯାହା ପରେ ଆକ୍ରାନ୍ତ ବର ଶରତ ଓ କନିଆଁ ଅଭିରାମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବରର ମାଆ ମଧ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସେ ସେହି ହସ୍ପିଟାଲରେ ଥିଲେ । ମାଆ ପୁଅ ଗୋଟିଏ ହସ୍ପିଟାଲରେ ଥିବାରୁ ବାହାଘର ସେଇଠି ହେବାକୁ ସ୍ଥିର ହୋଇଥିଲା । ଆଉ ମାଆଙ୍କ ଉପସ୍ଥିତିରେ ମହାମାରୀ ଭିତରେ ଅଭିରାମୀଙ୍କୁ ନିଜର ସାତ ଜନ୍ମର ସାଥି କରିଥିଲେ ଶରତ ।ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ କୋଭିଡ ୱାର୍ଡ ଭିତରେ ବାହା ହୋଇଥିଲେ । ସମ୍ପର୍କୀୟମାନେ ପିପିଇ କିଟ୍ ପିନ୍ଧି କୋଭିଡ୍ ୱାର୍ଡ ଭିତରେ ନବ ଦମ୍ପତ୍ତିଙ୍କୁ ନୂଆ ସମ୍ପର୍କ ପାଇଁ ଆଶିର୍ବାଦ କରିଥିଲେ ।
ସେହିଭଳି ମଧ୍ୟପ୍ରଦେଶରେ ନବଦମ୍ପତି ମଧ୍ୟ ପିପିଇ କିଟ୍ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ବିବାହ ପୂର୍ବରୁ କୋଭିଡ଼ ପଜିଟିଭ ଚିହ୍ନଟ ହେବାପରେ, ବର ଓ କନିଆଁ ଦୁହେଁ ପିପିଇ କିଟ୍ ପିନ୍ଧି ବିବାହ କରିଥିଲେ | ବର୍ତ୍ତମାନ ଏହି ବାହାଘରର ଭିଡିଓ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ଲୋକଙ୍କୁ ବିସ୍ମିତ କରିଛି |ଏହି ଭିଡିଓରେ ରତ୍ଲାମର ଏକ ବିବାହ ହଲରେ ଏହି ଦମ୍ପତିଙ୍କ ହାତ ଗଣ୍ଠି ପଡିବା ସହ ନୀଳ ରଙ୍ଗର ପିପିଇ କିଟ୍ ପିନ୍ଧିଥିବାର ନଜର ଆସିଥିଲେ ନବଦମ୍ପତି। ଏହି ଦମ୍ପତିଙ୍କ ସହିତ ପୁରୋହିତ ଏବଂ କିଛି ଘନିଷ୍ଠ ପରିବାର ସଦସ୍ୟ ମଧ୍ୟ ପିପିଇ ସୁଟରେ ନଜର ଆସିଛନ୍ତି | ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।