ଭୁବନେଶ୍ୱର : ରାଜଧାନୀ ପୁଲିସ୍କୁ ଏବେ ଛୋଟ ଚୋରମାନେ ଚକ୍ମା ଦେଉଛନ୍ତି । ବଡ ବଡ ଚୋରଙ୍କୁ ଧରି ପୁଲିସ୍ ଜେଲ୍ ପଠାଉଥିବାବେଳେ ସେମାନଙ୍କ ଚେଲାମାନେ ଏବେ ପୁଲିସ୍କୁ ନାକେଦମ କରୁଛନ୍ତି । ଏମାନଙ୍କ ଉପରେ ଦୟାକରି ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଛୋଟ ବଡ ଚୋରି ଠାରୁ ଆରମ୍ଭ କରି ନିଶା ବେପାର ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ଏମାନେ ସାମିଲ ହେଉଛନ୍ତି ।
ଛୋଟ ଚୋର କିଭଳି ପୁଲିସର ମୁଣ୍ଡବିନ୍ଧା ବଢାଉଛନ୍ତି ତାହା ଦେଖିବାକୁ ମିଳିଛି ରାଜଧାନୀରେ । ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଗତ କିଛିଦିନ ଧରି ଲାଗ ଲାଗ ବିଭିନ୍ନ କ୍ୱାଟର୍ସରୁ ଚୋରି ହେଲା । ଅଧିକାଂଶ ଚୋରି ଥିଲା ପାଣି ଟ୍ୟାପ୍ । ପୁଲିସ୍ ନିକଟରେ ଏକାଧିକ ଅଭିଯୋଗ ସହିତ ଚାପ ପଡିବାପରେ ମୁଖ୍ୟ ଚୋରକୁ ଧରି ପୁଲିସ୍ ଜେଲ୍ ପଠାଇଛି । ଜେଲ୍ ପଠାଇବା ପୂର୍ବରୁ ଚୋର ଆଗରେ ଗୁଡାଏ ପାଣି ଟ୍ୟାପ ରଖି ତାହା ଫଟୋ ଉଠାଇ ମୋବାଇଲରେ ରଖିଛି । ଆଉ ଯେଉଁଠି ଏଭଳି ଚୋରି ହେଉଛି ସେଠାକୁ ଯାଇ ଉପସ୍ଥିତ ଲୋକଙ୍କୁ ଆଗେ ଚୋର ଓ ଚୋରି ସାମଗ୍ରୀର ଫଟୋ ଦେଖାଇ ବାହାସ୍ପୋଟ ମାରୁଛି ।
ହେଲେ ଜେଲ୍ ଯାଇଥିବା ବଡ ଚୋରର ସାନ ଚେଲାମାନେ ଏବେ କମିଶନରେଟ ପୁଲିସ୍କୁ ନାକେଦମ କରିଦେଲେଣି । ଏମାନେ ଚୋରିରେ ଏତେ ମାହିର ହୋଇଗଲେଣି ଯେ ଘର ବନ୍ଦ ହେବାର କେଇ ଘଣ୍ଟା ଭିତରେ କଳାକନା ବୁଲାଇ ଦେଉଛନ୍ତି । ଏପରିକି ଆଜବେଷ୍ଟସ ଓ ଆଲୁମିନିୟମ ଝରକାକୁ କାଟି ସେହିବାଟେ ପ୍ରବେଶ କରୁଛନ୍ତି । ପ୍ରଥମେ ପାଣି ଟ୍ୟାପ ନେଉଛନ୍ତି, ପରେ ଆଉ ଯାହା ହାତରେ ପଡିଲା ତାହା ଧରି ଚମ୍ପଟ ମାରୁଛନ୍ତି ।
ତେବେ ସବୁଠାରୁ ବଡ କଥା ହେଲା ପୁଲିସ୍ ପହଞ୍ଚି ଛୋଟ ପିଲାଙ୍କୁ ଧରି କ’ଣ କରିବ ବୋଲି ଚୋରି ହୋଇଥିବା କ୍ୱାଟର୍ସ ମାଲିକଙ୍କୁ ବୁଝାଉଛି । ଏଥିଯୋଗୁଁ ଏବେ ବିଭିନ୍ନ ୟୁନିଟ୍ରେ ବୟସ୍କ ଚୋରମାନେ ପଛରେ ରହି ଏହି ଚେଲାଙ୍କୁ କୁଖ୍ୟାତ ଚୋର ସଜାଇବାରେ ଲାଗିଛନ୍ତି । ପାଠପଢା ବୟସରେ ବିଭିନ୍ନ ଘରେ ଚୋରି କରୁଥିବା ଏହି ଛୋଟ ଛୋଟ ପିଲାଙ୍କୁ ପୁଲିସ୍ ଧରିବା ତ ଦୂରରକଥା ଆକଟ ବି କରୁନାହିଁ । ଚୋରି ସାମଗ୍ରୀ ବିକ୍ରିରୁ ମିଳୁଥିବା ଅର୍ଥରେ ଏମାନେ ନିଶା ସେବନ କରୁଛନ୍ତି ।
ରାଜଧାନୀର ବିଭିନ୍ନ ୟୁନିଟ୍ ବିଶେଷକରି ଛଅ ନମ୍ବର ଅଞ୍ଚଳରେ ଗଞ୍ଜେଇ ଓ ବ୍ରାଉନସୁଗାରର ବାରବାର ସହିତ ତାଳ ଦେଇ ଚୋରି ବଢିବାରେ ଲାଗିଛି । ଦିନକୁ ନିଶା ସେବନ ପାଇଁ ଅତି କମ୍ରେ ୧୦୦ ଟଙ୍କା ଦରକାର ହେଉଥିବାରୁ ଏହି ନିଶାଡି ପିଲାମାନେ ବିଭିନ୍ନ ଘରକୁ ଟାର୍ଗେଟ କରୁଛନ୍ତି । ଯଦି କିଏ ହାଟ ବଜାର ଯାଉଛି ଆଖି ପିଛୁଳାକେ ତା’ ଘରେ କଳାକନା ବୁଲାଇ ଦେଉଛନ୍ତି । ତେଣୁ ଏମାନଙ୍କୁ ଏବେଠାରୁ ସାବାଡ ନକଲେ ଆଗାମୀ ଦିନରେ ଏମାନେ ରାଜଧାନୀର ଜଣେ ଜଣେ ଅପରାଧି ହୋଇ ବାହାରିବେ ଓ ପୁଲିସ୍କୁ ଆକ୍ରମଣ କରିବାକୁ ପଛାଇବେ ନାହିଁ ବୋଲି ମତପ୍ରକାଶ ପାଉଛି ।