କଟକ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟିକା ନେବେ।

ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣରେ ପୋଲିସ ଡିଜି ଅଭୟ କଟକ ଇଣ୍ଡୋର ଷ୍ଟାଡିୟମରେ କରୋନା ଟିକା ନେଇଛନ୍ତି ।ଟିକା ନେଇ ସାରିବା ପରେ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି । ତାଙ୍କ ସହିତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟିକା ନେଇଛନ୍ତି । ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି ୬ଟି ସ୍ଥାନରେ ଟିକାକରଣର ବ୍ୟବସ୍ଥା କରାଯାଇଛି।ଭୁବନେଶ୍ୱରର ୟୁନିଟ ୮, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, ୭ମ ବାଟାଲିଅନ ଓ ରିଜର୍ଭ ପୋଲିସରେ ଟିକାକରଣ ହେବ। ପ୍ରତି କେନ୍ଦ୍ରରେ ୧୦୦ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟିକା ଗ୍ରହଣ କରିବେ । ତେବେ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଟିକା ଦିଆଯାଇଛି ।