Odia News Portal

କେନ୍ଦ୍ର କରିବ ପିଏମ-ଶ୍ରୀ ସ୍କୁଲ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍ ଶ୍ରୀ) ଯୋଜନା ଆଧାରରେ ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶର ପ୍ରାୟ ୧୪, ୫୦୦ ସ୍କୁଲକୁ ଏହି ଯୋଜନା ମାଧ୍ୟମରେ ରୂପାନ୍ତରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କିଛି ନୂଆ ସ୍କୁଲ ମଧ୍ୟ ନିର୍ମାଣ କରାଯିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ନିର୍ମାଣ ହେବାକୁ ଥିବା ସ୍କୁଲଗୁଡିକୁ ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସହିତ ମଧ୍ୟ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ସ୍କୁଲଗୁଡିକର ରୂପରେଖ ବଦଳାଇବା ସହିତ ଭିତ୍ତିଭୂମିର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବେଶ ସହାୟକ ହେବ ପିଏମ୍ ଶ୍ରୀ ଯୋଜନା । ଏହା ଦ୍ବାରା ଏକ ସର୍ଚ୍ଚ ଓରିଏଣ୍ଟେଡ୍ ଏବଂ ଭଲ ଶିକ୍ଷା ସିଖିବାର ପ୍ରଣାଳୀ ଉପରେ ଜୋର ଦିଆଯିବ । ସ୍ମାର୍ଟ କ୍ଲାସରୁମ, ଖେଳ ଏବଂ ଅନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ମଧ୍ୟ ନଜର ଦିଆଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘୨୦୨୨ ରୁ ୨୦୨୭ ଯାଏଁ ଦେଶର ପ୍ରାୟ ୧୪,୬୦୦ ସ୍କୁଲର ରୂପରେଖ ସମ୍ପୂର୍ଣ୍ଣ ଭାବେ ବଦଳାଯିବ । ଏଥିପାଇଁ କେନ୍ଦ୍ରର ମୋଦି ସରକାର ୨୭, ୩୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଦେଶର ପ୍ରତି ବ୍ଲକରେ ଦୁଇଟି ସ୍କୁଲର ଗୁଣବତ୍ତା ବଢାଯିବା ସହିତ ବିକାଶ କରାଯିବ । ଏଥିପାଇଁ ରାଜ୍ୟ ସରକାର ମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସ୍କୁଲଗୁଡିକର ଗୁଣାତ୍ମକ ବିକାଶ।’ କ୍ୟାବିନେଟ୍ ବୈଠକରେ ରେଳ ବିଭାଗର ଜମିକୁ ଦୀର୍ଘକାଳୀନ ଭିତ୍ତିରେ ଲିଜ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।