ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ଏହାସହ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ମୋଦୀ ଜମ୍ମୁ-କାଶ୍ମୀରବାସୀଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ଜମ୍ମୁ-କାଶ୍ମୀର ପାଇଁ ଏକ ଐତିହାସିକ ଦିନ । ଆଜିଠାରୁ ଜମ୍ମୁ-କାଶ୍ମୀର ବାସିନ୍ଦା ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ ।ଉଦଘାଟନ ପରେ ଏବେ ଜମ୍ମୁ-କଶ୍ମୀରବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ମାଗଣା ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟର ୨୨୯ ଟି ସରକାରୀ ଏବଂ ୩୫ ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି |
ଏହାସହ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସ୍ମରଣ କରିଥିଲେ ମୋଦୀ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରବାସୀ ପ୍ରଶାସନ ଉପରେ ଭରସା କରୁଛନ୍ତି । ନିକଟରେ ହୋଇଥିବା ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି । ଏବେ ଏଠାରେ ପଞ୍ଚାୟତିରାଜ ବ୍ୟବସ୍ଥାରୁ ସୁଦୃଢ କରାଯିବ ।