ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି କରୋନା ମହାମାରୀ ଭୟ ।ଧୀରେ ଧୀରେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ ତୀବ୍ର କରିବାକୁ ମଧ୍ୟ ପ୍ରକିୟା ଜୋର ଧରିଛି ।
ସୂଚନା ଅନୁଯାୟୀ, ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆଜି ଦିନ ୧୧ରେ ଏହି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଗତ ଜାନୁଆରୀରେ କରୋନା ସଂକ୍ରମଣକୁ ନେଇ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଜାନୁଆରୀ ବୈଠକରେ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏବେ କିନ୍ତୁ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ।
ସେପଟେ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୨ ମାସ ହେବ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ଭ୍ୟାକସିନ ଦିଆଯାଇସାରିଲାଣି । ଟିକାକରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି ।