Odia News Portal

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହିତ ମିଶି ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ମାର୍ଚ ୯ ତାରିଖ ଦିନ ଅହମଦାବାଦରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍‌ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖିବେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏହା ହେବ ‘ବର୍ଡର୍-ଗାଭାସ୍କର୍‌ ଟ୍ରଫି ସିରିଜ୍‌’ର ୪ର୍ଥ ତଥା ଚୂଡ଼ାନ୍ତ ମ୍ୟାଚ୍‌। ଏବେ ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ମ୍ୟାଚ୍‌ରେ ଅଗ୍ରଣୀ ରହିଛି।

ଉଲ୍ଲେଖଯୋଗ୍ୟ, ମାର୍ଚ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ୍‌ ୪ଦିନିଆ ଭାରତଗସ୍ତରେ ଆସିବେ। ୨୦୧୭ ପରେ ଏହା ହେବ ଜଣେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ।

ତାଙ୍କର ଅହମଦାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଗସ୍ତ ଭାରତ ସହିତ ତାଙ୍କ ଦେଶର ରଣନୈତିକ, ଆର୍ଥିକ ଏବଂ ବ୍ୟକ୍ତି-ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଲିଜ୍‌ କରିଥିବା ବିବୃତିରେ ଉଲ୍ଲେଖ ଅଛି।

ମାର୍ଚ ୮ ତାରିଖ ଦିନ ଅହମଦାବାଦରେ ପହଞ୍ଚିବା ପରେ ଅନ୍ଥୋନି ଆଲ୍‌ବେନିଜ୍‌ ୯ ତାରିଖ ଦିନ ମୁମ୍ବାଇ ଯିବେ। ପୁଣି ୯ ତାରିଖ ଦିନ ମୁମ୍ବାଇରୁ ଦିଲ୍ଲୀ ଯିବେ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

ଦିଲ୍ଲୀରେ ଆନ୍ଥୋନି ‘ଅଷ୍ଟ୍ରେଲିଆ-ଭାରତ ବାର୍ଷିକ ନେତୃ ଶିଖର ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଯୋଗ ଦେବେ।