ଭଦ୍ରକ: ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି । ଦୁର୍ଘଟଣାରେ ୫ ଗୋରୁ ମୃତ । ଭଦ୍ରକ-ଧାମନଗର ରାସ୍ତା ଭଣ୍ଡାରୀପଦି ଛକ ନିକଟରେ ଦୁର୍ଘଟଣା ଘଟିଛି । ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୫ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନରୁ ୨୫ ଗୋରୁଙ୍କୁ ଉଦ୍ଧାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗୋରୁ ବୋଝେଇ ପିକଅପଟି ୩୦ରୁ ଅଧିକ ଗୋରୁଙ୍କୁ ନେଇ ଧାମନଗର ଅଭିମୁଖେ ଯାଉଥିଲା । ଭଣ୍ଡାରୀପଦି ଛକ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ଯାହାଫଳରେ ୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ତେବେ ୫ଟି ଗୋରୁଙ୍କ ମଧ୍ୟରୁ ୩ଟି ଷଣ୍ଢ ଓ ୨ ଟି ଗାଈ ଥିବା ସୂଚନା ମିଳିଛି । ତେବେ ଜୀବିତ ଥିବା ଅନ୍ୟ ଗୋରୁ ଗୁଡିକ ପଳାଇଯାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।ଉତ୍ତ୍ୟକ୍ତ ଲୋକ ଭଣ୍ଡାରୀପଦି ଛକରେ ଭଦ୍ରକ-ଧାମନଗର ରାସ୍ତା ଅବରୋଧ କରିଛନ୍ତି । ବେଆଇନ୍ ଭାବେ ଗୋରୁ ଚାଲାଣ ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭଦ୍ରକ ଦେଇ ପୂର୍ବରୁ ବିଭିନ୍ନ ସମୟରେ ଏଭଳି ବେଆଇନ୍ ଗୋରୁ ଚାଲାଣ ବେଳେ ମଧ୍ୟ ଗାଡ଼ି ଧରା ପଡ଼ିଛି ।

ଅନ୍ୟପଟେ, ଭଦ୍ରକରୁ ବାଲେଶ୍ୱର ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ୍ ଜବତ କରିଛି ସିମୁଳିଆ ଥାନା ପୋଲିସ । ୧୬ ନମ୍ବର ଜାତୀୟ ରାଜପଥର ସିମୁଳିଆ କଲେଜ ଛକ ନିକଟରୁ ୬ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରାଯାଇଛି । ଏଥିରେ ଥିବା ୧୦୩ ଗାଈଙ୍କୁ ଉଦ୍ଧାର କରିଛି ସିମୁଳିଆ ପୋଲିସ ।