Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧିଦଳଙ୍କ ବିଗୁଲ ଫୁଙ୍କା

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ର୍ନିବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ଦୁଇ ବିରୋଧିଦଳ ଏବେଠାରୁ ବିଗୁଲ ବଜାଇଲେଣି । କଂଗ୍ରେସ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଥିବାବେଳେ ବିଜେପି ବିଦ୍ୟୁତ୍ ଦରବୃଦ୍ଧି ଓ ଆବାସ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛି । ତେବେ ଏମାନଙ୍କ ପ୍ରତି ନଜର ନଦେଇ ବିଜେଡି ତୃଣମୂଳ ସ୍ତରରେ ତାହାର ସଂଗଠନକୁ ମଝବୁତ କରିବାରେ ଲାଗିଛି ।

ଆସନ୍ତା ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ମିଳିବାପରେ ଏବେ ଠାରୁ ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଲାଗି ପଡିଛନ୍ତି । ତେବେ ବିଲେଇ କପାଳକୁ ଶିକା ଛିଡିଲା ଭଳି କଂଗ୍ରେସ ହାତରେ ତୈଳଦଳ ବୃଦ୍ଧି ଓ ବିଜେପି ହାତରେ ବିଜୁଳି ଦରବୃଦ୍ଧି ଇସ୍ୟୁ ଲାଗିଯାଇଛି । ଏହି ଦୁଇ ପ୍ରସଙ୍ଗକୁ ନେଇ କିଭଳି ସାଧାରଣ ଲୋକଙ୍କୁ ପ୍ରଭାବିତ କରାଯାଇ ପାରିବ ସେଥିପାଇଁ ଦୁଇଦଳ ଲାଗି ପଡିଛନ୍ତି । ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା କଂଗ୍ରେସ ଗୋଟିଏ ତୀରରେ ଦୁଇଟି ଶିକାର କରିବାପାଇଁ ତୈଳ ଦରବୃଦ୍ଧି ପାଇଁ ଉଭୟ ବିଜେପି ଓ ବିଜେଡିକୁ ନିଶାଣ କରିବାରେ ଲାଗିଛି । ଅନ୍ୟପକ୍ଷରେ ବିଜେପି କିନ୍ତୁ ବିଜେଡିକୁ ଟାର୍ଗେଟ କରୁଛି ।

କିଛିଦିନ ତଳେ ବିଜେପି ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇ ସାରା ରାଜ୍ୟରେ ବିଜେଡକୁ ଘେରିଥିଲା । ଏଥିରୁ ସେଭଳି ଫାଇଦା ନମିଳିବା ଓ ବିଜେଡି ଏହାର ସଫଳ ମୁକାବିଲା କରିବାପରେ ଏବେ ବିଜୁଳି ଦରବୃଦ୍ଧିକ ନେଇ ସାତ ଦିନିଆ ପ୍ରତିବାଦ ଓ ୫ଦିନିଆ କ୍ୟାଣ୍ଡେଲ ଶୋଭାଯାତ୍ରା ପାଇଁ ନିଷ୍ପତ୍ତି ନେଇଛି । ବିଜୁଳି ପ୍ରସଙ୍ଗ ସହିତ ସାଧାରଣ ଲୋକେ ଜଡିତ ଥିବାରୁ ବିଜେପି ଏହାକୁ ହାତଛଡା କରିବାକୁ ଚାହୁଁନାହିଁ । କାଳେ କଂଗ୍ରେସ ତୈଳ ଆନ୍ଦୋଳନ ପରେ ବିଜୁଳିକୁ ପ୍ରସଙ୍ଗ କରି ଆନ୍ଦୋଳନକୁ ଓହ୍ଲାଇବ ସେଥିପାଇଁ ବିଜେପି ଆଗତୁରା ପଦକ୍ଷେପ ନେଇଛି । ତେବେ ବିଜୁଳି ଦରବୃଦ୍ଧିକୁ ଇତି ମଧ୍ୟରେ ଦୁଇମାସରୁ ଅଧିକ ସମୟ ହୋଇଥିବାବେଳେ ବିଜେପିର ହଠାତ୍ କାହିଁକି ଦରବୃଦ୍ଧି କଥା ମନେ ପଡିଲା ତାହାକୁ ନେଇ ଜୋର ଚର୍ଚ୍ଚା ।

ତେବେ ଏହା ଭିତରେ କିନ୍ତୁ ବିଜେଡି ମାପି ଚୁପି ମନ୍ତବ୍ୟ ଦେବା ସହିତ ତାର ସଂଗଠନକୁ ମଝବୁତ କରିବାରେ ଲାଗିଛି । ତୈଳଦର ବୃଦ୍ଧିରୁ ରାଜ୍ୟକୁ ଅଧିକ ଟିକସ ମିଳୁଥିବାରୁ ଶାସକ ବିଜେଡି ଏ ନେଇ ଏକ ପ୍ରକାର ନିରବ । ଅତ୍ୟନ୍ତ ସର୍ତକତାର ସହ ଏ ନେଇ ମନ୍ତବ୍ୟ ରଖୁଛି । ସେହିଭଳି ବିଜେପି ଉଠାଇଥିବା ଆବାସ ଦୁର୍ନୀତିର ମୁହଁତୋଡ ଜବାବ ଦେବା ଫଳରେ ଏହା ବି ତଳ ସ୍ତରରେ ଦାନା ଧରିଲା ନାହିଁ । ତେଣୁ ବିରୋଧିଙ୍କୁ ଅଣଦେଖା କରି ବିଜେଡି ଏବେ ତାହାର ତୃଣମୂଳ ସଂଗଠନକୁ ମଝବୁତ କରିବାରେ ଲାଗିଛି । ବିଶେଷକରି ହତାଶ ହୋଇପଡିଥିବା କଂଗ୍ରେସ ଓ ବିଜେପିର କେତେ କର୍ମୀଙ୍କୁ ନିଜ ପଟକୁ ଅଣାଯାଇ ପାରିବ ସେଥିପାଇଁ ଉଦ୍ୟମ ଜୋରଦାର କରାଯାଉଛି ।