Odia News Portal

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ ପାକିସ୍ତାନ

ବିସିସିଆଇ ଚୟନ କଲା ୯ ସହର, ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ

ମୁମ୍ବାଇ : ଚଳିତ ବର୍ଷ ଅକ୍ଟୋବର –ନଭେମ୍ବର ମାସରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଆସିବାକୁ ପାକିସ୍ତାନ ଖେଳାଳିଙ୍କୁ ଭାରତ ଭିସା ପ୍ରଦାନ କରିବ। ଏନେଇ ହୋଇଥିବା ଭର୍ଚୁଆଲ୍ ମିଟିଂରେ ଏପେକ୍ସ କାଉନ୍‌ସିଲ୍‌କୁ ସୂଚନା ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ। ବୋର୍ଡର ସଚିବ ଜୟ ଶାହ ନିଜେଏହି ସୂଚନା ଦେଇଛନ୍ତି ।

ଟି୨୦ ବିଶ୍ୱକପ୍ ପାଇଁ ପାକସ୍ତାନ ଖେଳାଳିଙ୍କୁ ଭିସା ଦେବାକୁ ଭାରତ ସରକାର ରାଜି ହୋଇଛନ୍ତି । ତେବେ ପାକିସ୍ତାନୀ ଫ୍ୟାନଙ୍କୁ ଭିସା ଦିଆଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତ ନିଆଯିବ। ବିସିସିଆଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଟି-୨୦ ବିଶ୍ୱକପ୍‌ ଆଇସିସିର ଇଭେଣ୍ଟ । ସରକାର ପାକିସ୍ତାନ ଖେଳାଳି ଓ ମିଡିଆ କର୍ମୀଙ୍କୁ ଭିସା ଦେବାକୁ ରାଜି ହୋଇଛନ୍ତି।

ବିସିସିଆଇର ନିଷ୍ପତ୍ତି ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ଭିସା ପ୍ରଦାନ ନେଇ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ପିସିବି) ବିସିସିଆଇକୁ ଅଲ୍‌ଟିମେଟମ୍ ଦେଇଥିଲା। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭିସା ଦେବା ନେଇ ଭାରତ ସ୍ପଷ୍ଟ କରୁ ବୋଲି ପିସିବି କହିଥିଲା। ଏହାପରେ ଏପ୍ରିଲ ୧ ତାରିଖରେ ଆଇସିସି ବୈଠକ କରି ମାସକ ଭିତରେ ବିବାଦର ସମାଧନ ହେବ ବୋଲି କହିଥିଲା। ପରିଣାମ ସ୍ୱରୂପ ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବାକୁ ଭାରତ ରାଜି ହୋଇଛି ବୋଲି କୁହାଯାଉଛି।

ଟି୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ୯ଟି ଭେନ୍ୟୁ ସ୍ଥିର କରିଛି। ଫାଇନାଲ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ବେଳେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଧର୍ମଶାଳା, କୋଲକାତା ଓ ଲକ୍ଷ୍ନୌରେ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ୨୦୧୬ରେ ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବାକୁ ସୁଯୋଗ ପାଇଥିଲେ ପାକିସ୍ତାନୀ ଖେଳାଳି। ଏଥିରେ ପାକିସ୍ତାନ ଭାରତରେ ମାତ୍ର ୪ଟି ମ୍ୟାଚ୍ ଖେଳିଥିଲା।