Odia News Portal

ଓଡ଼ିଆଙ୍କ ପ୍ରିୟ ପଖାଳ, ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ଚର୍ଚ୍ଚାରେ

ଆଜି ହେଉଛି ମାର୍ଚ୍ଚ ୨୦ ‘ବିଶ୍ୱ ପଖାଳ ଦିବସ’

ଭୁବନେଶ୍ବର: ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ । ଗତ କିଛି ବର୍ଷ ଧରି  ସାରା ବିଶ୍ୱରେ ଓଡ଼ିଆମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରୁଛନ୍ତି । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଖରାଦିନେ ପଖାଳ ସାଙ୍ଗରେ ଭରତା,ଶାଗ ଭଜା,ସାଙ୍ଗକୁ ବଡ଼ିଚୁରା ସ୍ୱାଦ ଟିକିଏ ଯେମିତି ନିଆରା । 

ଆଜି ପ୍ରତି ରେଷ୍ଟୁରାଣ୍ଟ ର ଡାଇନିଂ ଉପରେ ଶୋଭା ପାଉଛି ପଖାଳ କଂସା । ଛୁଙ୍କ ଦିଆ ଦହି ପଖାଳ ସହ ବାଇଗଣ ଭର୍ତ୍ତା,ବଢିଚୁରା,ଶାଗ ଭଜା, ମାଛଭଜା, ଖଇଙ୍ଗା ସୁଖୁଆ, ବାଇଗଣ ଚେକା ଭଜା,  ଧନିଆ, ନଡ଼ିଆ ଚଟଣି ଭଳି କେତେ କଣ ।  ଗରିବ ଓଡିଆଙ୍କ ଘରେ ଘରେ ପରିଚିତ  ପାରମ୍ପରିକ ସହଜ ଖାଦ୍ୟ ର ସ୍ୱାଦକୁ ଟିକେ ମଜା ଉଠାଇବା ଲାଗି ଏକତ୍ରିତ ହୋଇଛନ୍ତି ପୁରା ପରିବାର ।ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’ ।

କେବଳ ଯେ ଖାଦ୍ୟ କହିଲେ ହୁଏତ ଭୁଲ ହେବ ପଖାଳ ଓଡ଼ିଆଙ୍କ ସହସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ, ଓ ଅମୃତ ସଦୃଶ ।

ଓଡିଶାରେ ଯଦିଓ ଛୁଙ୍କ ଦହି ପଖାଳ ଭାବେ ସମସ୍ତେ ଜାଣନ୍ତି ହେଲେ ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପାନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ”, ଛତିଶଗଡ଼ରେ “ବୋରେ ଭାତ”, ମାଲାୟାଲାମରେ “ବଲ୍ଲୁ ଚୋରୁ” ଓ ତାମିଲନାଡ଼ୁରେ “ବକାଲ ବାତ” ବୋଲି କୁହାଯାଏ। ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀତୋରାଣି ସହ ଖାଇବାର ପରମ୍ପରା ନାହିଁ ।

୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।