Odia News Portal

ସୁବାଷ ନୁହେଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ,ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ । ଘରେ ବସି କୌଣସି ବିଧାନସଭାର କାର୍ଯ୍ୟ ହୋଇପାରିବନି । ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ ଯାଉଛନ୍ତି, କିନ୍ତୁ ବିଧାନସଭାକୁ ଆସୁନାହାନ୍ତି । ଏଥିରେ କଣ ଗଣତନ୍ତ୍ରର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉନାହିଁ ବୋଲି ବଡ଼ ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ।

ଏମିତିକି ଗୃହର ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରିଥିବାରୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଦୀପ୍ତ । ସେହିଭଳି ଗୃହ ବାହାରେ ବାଚସ୍ପତିଙ୍କର କୌଣସି ଟିପ୍ପଣୀ ଦେବାର ନୈତିକ ଅଧିକାର ନାହିଁ କିନ୍ତୁ ସେ ପଦମର୍ଯ୍ୟାଦା ଭୁଲି ଯାଇ ବିଜେଡିର କର୍ମୀ ଭାବେ ନିଜକୁ ବ୍ୟବହାର କରୁଛନ୍ତି । ସର୍ବଦଳୀୟ ବୈଠକ ଡାକି ଗୃହ ଚଲାଇବା ପାଇଁ ବାଟ ଖୋଜିବାକୁ ହୁଏ ବୋଲି କହିଛନ୍ତି ପ୍ରଦୀପ୍ତ । କଣ୍ଟିଜେନ ଫଣ୍ଡରୁ କାଳିଆ ଯୋଜନା ପାଇଁ ଟଙ୍କା ନେଇ ବଣ୍ଟାହେଉଛି, ଧାନ କାହିଁକି କିଣାଯାଇପାରିବନି । ଏହା କେବଳ ଏକ ବାହାନା, ସେଥିପାଇଁ ନବୀନ ବାବୁ କ୍ଷମା ମାଗିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଦୀପ୍ତ ।