ନୁଆଦିଲ୍ଲୀ ଦେଶରେ ଜନତା କର୍ଫ୍ୟୁକୁ ବର୍ଷେ ପୁରିଛି । ଠିକ୍ ବର୍ଷେ ପୂର୍ବରୁ ଆଜିର ଦିନରେ ଭାରତରେ ସକାଳ ୭ରୁ ରାତି ୯ଟା ଯାଏଁ ୧୪ ଘଣ୍ଟିଆ କଟକଣା ଲାଗୁ ହୋଇଥିଲା । ଜରୁରୀ କାରବାର ବ୍ୟତିତ ଅନ୍ୟ ସମସ୍ତ ସେବା ଏକଦମ୍ ଠପ୍ ହୋଇଯାଇଥିଲା । କରୋନା ମହାମାରୀକୁ ରୋକିବା ଦିଗରେ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇ ସାରା ଦେଶରେ ୨୦ ମାର୍ଚ୍ଚ ୨୦୨୦ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ ମଧ୍ୟ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରିଥିଲେ ।
ବର୍ତ୍ତମାନ ଦେଶରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପୂର୍ବରୁ ସଂକ୍ରମଣ ହାର କମିଥିଲା କିନ୍ତୁ ଦେଶରେ ପୁଣିଥରେ କଡ ଲେଉଟାଇଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୯୫୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାକି ବର୍ଷ ୨୦୨୧ରେ ସର୍ବାଧିକ । ସେହିଭଳି ସଂକ୍ରମଣରୁ ସୁସ୍ଥ ହେଲେଣି ୧ କୋଟି ୧୧ ଲକ୍ଷ ସଂକ୍ରମିତ ଏବଂ ଏକ ଲକ୍ଷ ୫୯ ହଜାର ୯୭ ଜଣଙ୍କର ମୃତ୍ୟୁ ଘଟିଛି । ଖାସ କଥା ହେଉଛି ଆଜିକୁ ଠିକ୍ ବର୍ଷେ ପୂର୍ବରୁ ଅର୍ଥାତ ୨୦୨୦ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ଦେଶବାସୀଙ୍କୁ କରୋନାର ସ୍ଥିତି ନେଇ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ବୋଧନ ବେଳେ ଦେଶରେ ଗୋଟିଏ ଦିନ ପାଇଁ ଜନତା କର୍ଫ୍ୟୁ ଘୋଷଣା କରାଯାଇଥିଲା ।
ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ସାରା ବିଶ୍ବ ମହାସଙ୍କଟ ଦେଇ ଗତିକରୁଛି । ସାଧାରଣତଃ ପ୍ରାକୃତିକ ଦୁଃର୍ବିପାକ ଆସିଲେ କୌଣସି ନିର୍ଦ୍ଧିଷ୍ଟ ରାଜ୍ୟ କିମ୍ବା ଦେଶରେ ସୀମିତ ରୁହେ କିନ୍ତୁ କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରିରଖିଛି । ଯାହାଫଳରେ ସାରା ବିଶ୍ବର ମାନବ ସମାଜକୁ ସଙ୍କଟରେ ପକାଇଦେଇଛି ।’
ଜନତା କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ବ୍ୟକ୍ତି ଯେପରିକି ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମୀ, ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ଅନ୍ୟମାନଙ୍କୁ ଘରେ ସଂଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହିତ ପରିବାରର ବରିଷ୍ଠ ସଦସ୍ୟ ତଥା ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କର ବିଶେଷ ଧ୍ୟାନ ରଖିବାକୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ର ମୋଦି ।
ଏହା ବାଦ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହିତ ଜନତା କର୍ଫ୍ୟୁର ପାଳନ କରିବା ଏବଂ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ସେତିକି ନୁହେଁ ମହାସଙ୍କଟ ସମୟରେ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ ଟା ବେଳେ ନିଜ ନିଜ ଘରର ବାଲକୋନି କିମ୍ବା ଘର ବାହାରେ ଛିଡା ହୋଇ ୫ ମିନିଟ୍ ପାଇଁ ତାଳି ବଜାଇ, ଥାଳି ବଜାଇ କିମ୍ବା ଘଣ୍ଟି ବଜାଇବା ପାଇଁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ।