ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ସମସ୍ତ ସେମିଷ୍ଟର ପରୀକ୍ଷାଗୁଡିକ ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷାଗୁଡିକୁ ଅଫ୍ଲାଇନ ମାଧ୍ୟମରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୂଚୀ ପ୍ରଦାନ କରାଯିବ ବୋଲି ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ କହିଛନ୍ତି ।
ଫେବ୍ରୁଆରୀ ୧ ତାରିଖଠାରୁ ରେଭେନ୍ସାରେ ସ୍ନାତକ(ୟୁଜି)ର ତୃତୀୟ, ପଞ୍ଚମ ଏବଂ ସପ୍ତମ ସେମିଷ୍ଟର ପରୀକ୍ଷା, ସ୍ନାତକୋତ୍ତର(ପିଜି)ର ତୃତୀୟ ସେମିଷ୍ଟର, ଏମ୍ସିଏର ପଞ୍ଚମ ସେମିଷ୍ଟର ଏବଂ ଆଇଏମ୍ବିଏର ନବମ ସେମିଷ୍ଟର ପରୀକ୍ଷା ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଥିବାରୁ ପରୀକ୍ଷା ନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ସୋମବାର ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଅଫ୍ଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।