Odia News Portal

ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗକୁ ଅଗ୍ନିପରୀକ୍ଷା, ପ୍ରଥମେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟରେ ଏବେ ଦଳ ବଦଳ ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି । ତେବେ ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ । ଯଦି ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ତେବେ ତିଷ୍ଠିବେ ନହେଲେ ଦଳରେ କୋଣଠେସା ହୋଇଯିବେ ବୋଲି ସେମାନଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି ।

ଦଳ ବଦଳ ଦୌଡରେ ସବୁଠାରୁ ଆଗରେ ଅଛନ୍ତି ଶାସକ ବିଜେଡି ଓ ମୁଖ୍ୟ ବିରୋଧିଦଳ ବିଜେପି । ଏମାନଙ୍କ ପଛେ ପଛେ ଯଦିଓ କଂଗ୍ରେସ ଧାଇଁଛି ତଥାପି ତାହା କେବଳ ସମ୍ମାନ ରକ୍ଷା ଲାଗି ବୋଲି ଖୋଦ ଦଳୀୟ କର୍ମୀମାନେ କହୁଛନ୍ତି । ତେବେ ବିଜେଡି ଓ ବିଜେପି ପରସ୍ପରର ଦଳରୁ କେତେ ହେଭିୱେଟ ବିଶେଷକରି ବିଧାୟକ ପ୍ରାର୍ଥୀ ଓ ସେହିଭଳି ଜିଲ୍ଲା ସ୍ତରର ପ୍ରାର୍ଥୀଙ୍କୁ ନିଜ ପଟକୁ ଆଣିବେ ସେଥିପାଇଁ ଏକ ପ୍ରକାର କସରତ ଆରମ୍ଭ କରିଦେଇଛନ୍ତି । କୌଣସି ପ୍ରକାରେ ଅସନ୍ତୁଷ୍ଟଙ୍କୁ ନିଜ ପଟକୁ ଆଣିାବପାଇଁ ସବୁ ପ୍ରକାର କଳ ବଳ କୌଶଳ ଖଟାଉଛନ୍ତି । ଏହାର ସୁଫଳ ବି ମିଳୁଛି । ନେତା ଆସୁଛନ୍ତି, ସାଙ୍ଗରେ ଦଳ ବଦଳ ନେଇ ବି ଆସୁଛନ୍ତି । ପାର୍ଟି ଅଫିସରେ ଜୋରଦାର ସ୍ୱାଗତ ହେଉଛି ।

ହେଲେ ଏହି ନେତାମାନେ ଯୋଗ ଦେଉଥିବା ଦଳକୁ କେତେ ଲାଭ ପହଞ୍ଚାଇବେ ତାହା ମାସ କେଇଟା ପରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଜଣାପଡିଯିବ । କାରଣ ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି । ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଂରକ୍ଷଣ ଆସନର ତାଲିକା ବି ଜାରି ହେଲାଣି । ଏଭଳି ସ୍ଥିତିରେ ନେତାମାନେ ଦଳ ଡେଉଁ ଥିବାରୁ ସେମାନଙ୍କ ସହିତ କେତେ ଲୋକ ନୂଆ ଦଳ ପ୍ରତି ଆକୃଷ୍ଠ ହେବେ ତାହା ଆଗାମୀ ପଞ୍ଚାୟତ ନିର୍ବାଚନ ହିଁ କହିବ ।

ଯଦି ପଞ୍ଚାୟତ ନିର୍ବାଚନରେ ଭଲ ଫଳ ଦେଲେ ତେବେ ଦଳରେ ସେମାନଙ୍କର କାଟ୍‍ତି ବୃଦ୍ଧିପାଇବ । ପଦ ପଦବୀ ବି ମିଳିପାରେ । ହେଲେ ଯଦି ପଞ୍ଚାୟତରେ ଗଡିପଡିଲେ ତେବେ ସେମାନଙ୍କୁ ଦଳରେ କୋଣଠେସା କରିବାପାଇଁ ବିଭିନ୍ନ ଆଡୁ ଉଦ୍ୟମ ଆରମ୍ଭ ହୋଇଯିବ । ଏଭଳି ସ୍ଥିତିରେ ରାଜଧାନୀରେ ହେଉଥିବା ମିଶ୍ରଣ ପର୍ବର କମ୍ପନ ଏବେ ନିର୍ବାଚନମଣ୍ଡଳୀ ସ୍ତରରେ ଦେଖିବାକୁ ମିଳିଲାଣି । ସେଠାରେ ଦୀର୍ଘଦିନ ଧରି ଦଳରେ ଥିବା ନେତାଏ ଅନ୍ୟ ଦଳର ଆମଦାନୀ ନେତାଙ୍କୁ କେତେଦୂର ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତ ନଜର । ନୂଆ ନେତାଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିବେ ନା ନିଜର ସ୍ଥିତି ଜାହିର ପାଇଁ ମୁହଁରେ ହସ ରଖି ଚେର କାଟିବେ ତାହାକୁ ଏବେ ଅନେକ ଅନାଇ ବସିଛନ୍ତି ।

ତେବେ ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ କେବଳ ପଞ୍ଚାୟତ ଭୋଟ ନୁହେଁ, ଏହା ପରେ ପରେ ହେବାକୁ ଥିବା ସମବାୟ ଓ ପୌର ନିର୍ବାଚନରେ ମଧ୍ୟ ଆମଦାନୀ ନେତାଙ୍କୁ ସେମାନଙ୍କର ପ୍ରଦର୍ଶନ ଦେଖାଇବାକୁ ପଡିବ । ନହେଲେ ଯେଉଁ ଦଳର ଟୋପି ପିନ୍ଧୁଛନ୍ତି ସେହି ଦଳର ନେତା ହିଁ ଚେର କାଟିବାକୁ ହେଳା କରିବେ ନାହିଁ । ତେଣୁ ଦଳ ବଦଳ କରୁଥିବା ନେତାଙ୍କ ପାଇଁ ଆଗକୁ ଲାଗ ଲାଗ ତିନି ତିନିଟି ଅଗ୍ନି ପରୀକ୍ଷା ଆସୁଥିବାବେଳେ ସେମାନେ କିଭଳି ଏହାକୁ ସାମ୍ନା କରିବେ ଓ ନିଜ ନିଜ ଅନୁଗତଙ୍କୁ ନିଜ ଖୁଆଡରେ ରଖିବେ ତାହା ବଡ ପ୍ରଶ୍ନବାଚୀ ହୋଇଛି ।