Odia News Portal

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା । ପ୍ରଥମ ପର୍ୟ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲାମାନଙ୍କୁ ଏହି ଡାଏରୀ ମିଳିବ । ଯେଉଁଥିରେ ଘରୋଇ ସ୍କୁଲ ଭଳି ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କ’ଣ ପଢୁଛି । ଅଭିଭାବକଙ୍କ ଦସ୍ତଖତ ବି ରହିବ । ପିଲା ନିୟମିତ ସ୍କୁଲ ଯାଉଛି କିମ୍ବା ନାହିଁ, ସ୍କୁଲରେ କେମିତି ପଢୁଛି, ଏ ସମସ୍ତ ଖବର ଅଭିଭାବକ ଜାଣିପାରିବେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ୨ୟରୁ ୧୦ମ ପର୍ୟ୍ୟନ୍ତ ପିଲାଙ୍କୁ ଖାତା (ନୋଟ୍‌ବୁକ୍‌) ମିଳିବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଚଳିତ ବଜେଟ୍‌ରେ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି । ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଡ୍ରେସ୍‌ ମାଗଣା ଦିଆଯାଉଥିବା ବେଳେ ଏବେ ଦଶମ ପର୍ୟ୍ୟନ୍ତ ଦିଆଯିବ । ପ୍ରାଥମିକ ସ୍କୁଲରେ ଶିକ୍ଷକ ପଦ ପୂରଣ ନିମନ୍ତେ ଖୁବ୍‌ ଶୀଘ୍ର ବଡ଼ ଘୋଷଣା ହେବାକୁ ଯାଉଛି ।