Odia News Portal

ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର

କୋରାପୁଟ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର| କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁହାଁ ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି କରାଯାଇଛି।

କୋଟିଆ ପ୍ରସଙ୍ଗରେ ସୋମବାର କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ ଆଲୋଚନା କରିଥିଲେ। କୋଟିଆରେ ପଶି ଆନ୍ଧ୍ର କରୁଥିବା ଦାଦାଗିରି ବନ୍ଦ କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଖୁବଶୀଘ୍ର ଆବେଦନ କରିପାରନ୍ତି ।ତେବେ ଆଜି କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ ଗସ୍ତ କରିଛି । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୧୦ ଜଣିଆ ଟିମ କୋଟିଆ ଅଭିମୁଖେ ଯାଇଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର କରୁଥିବା ବେଳେ ବିଜେପି ଟିମ ପହଞ୍ଚି କୋଟିଆରେ ସ୍ଥିତି ଅନୁଧ୍ୟାନ କରିବ । ତେବେ ଆଗାମୀ ୧୩ ତାରିଖରେ ଆନ୍ଧ୍ର ନିର୍ବାଚନ ପୂର୍ବରୁ କୋଟିଆକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଦ୍ଵିଧାରେ ପକାଇବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ରାଜ୍ୟ ବିଜେପି ।