ଭୁବନେଶ୍ୱର: ଚଳିତ ରେଳ ବଜେଟରେ ଓଡ଼ିଶାର ଦାବି ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ରେଳ ବଜେଟ ପାଇଁ ଦାବି ଉପସ୍ଥାପନା କରିଛନ୍ତି ।ତେବେ ଓଡ଼ିଶା ଚଳିତ ବର୍ଷ ରେଳ ବଜେଟ ନିମନ୍ତେ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ କୋଟି ଏବଂ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର ।

ଆସନ୍ତା ୨୯ ତାରିଖରୁ କେନ୍ଦ୍ରୀୟ ବଜେଟ ଅଧବେଶନ ଆରମ୍ଭ ହେବାକୁ ଯାଉଛି | ରାଜ୍ୟ ସରକାର ଏନେଇ କହିଛନ୍ତି ଯେ ରେଳ ରାଜସ୍ୱରେ ଓଡିଶା ସର୍ବାଧିକ ଅବଦାନ ରଖିଛି ଏବଂ ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ସରକାର ଆର୍ଥିକ ଦୃଷ୍ଟିରୁ ଅଂଶଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବା କଥା କହିଛନ୍ତି ରାଜ୍ୟ ସରକାର । କିନ୍ତୁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ କୌଣସି ପରାମର୍ଶ ନକରି ଓଡିଶା ଠାରୁ ପ୍ରାୟ ୩୦୦ ଷ୍ଟପ୍ ପାସେଞ୍ଜର / କୋଚିଂ ଟ୍ରେନ୍ ପ୍ରତ୍ୟାହାର କରିନେଇଛି ଏବଂ ସେମାନଙ୍କୁ ଶୀଘ୍ର ପୁନରୁଦ୍ଧାର କରିବାକୁ ପଡିବ ବୋଲି ରାଜ୍ୟ ସରକାର କହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଲୋକଙ୍କ ହିତ ପାଇଁ ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ହରିଦାସପୁର-ପାରାଦୀପ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ୍ ପ୍ରବର୍ତ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସରକାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ନିର୍ମାଣାଧୀନ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ପାଇଁ ସରକାର ମଧ୍ୟ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।