ବରିଷ୍ଠ IFS ଅଭୟକାନ୍ତ ପାଠକଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର । ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବରିଷ୍ଠ IFS ଅଭୟକାନ୍ତ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହାପରେ ଉଭୟ ପାଠକ ବାପ ପୁଅଙ୍କ ଅମାପ ସମ୍ପତ୍ତିର କଳାଚିଠା ସାମ୍ନାକୁ ଆସିଥିଲା।ଏଯାବତ କୋଟିପତି ବାପପୁଅଙ୍କ ଆକାଉଣ୍ଟରୁ ପ୍ରାୟ ୨୦ କୋଟି ଟଙ୍କା ମିଳିସାରିଥିବା ବେଳେ ଅଭୟକାନ୍ତଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିବା ରାଜ୍ୟର ପ୍ରଥମ ଘଟଣା ।
ଅପରପକ୍ଷେ, ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାର ତଦନ୍ତ କରୁଛି।ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଗିରଫ କରିଛି । ସେ ବେକାର ଯୁବକଙ୍କୁ ଚାକିରି ଦେବା ଲୋଭ ଦେଖାଇ ଟଙ୍କା ଆଦାୟ କରୁଥିଲେ । ଏନେଇ ଟାଟା ମୋଟର୍ସ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IFS ଅଭୟକାନ୍ତଙ୍କ ଘରେ ରେଡ୍ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟରତ ଥିଲେ । ଭିଜିଲାନ୍ସ ପକ୍ଷରୁ ଚଢାଉରେ IFS ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟା ପାଇଥିଲା ଭିଜିଲାନ୍ସ ଟିମ୍ । ଏହାପରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସର ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। ଅନ୍ୟପଟେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଅଭୟଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।