Odia News Portal

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ମଜୁରୀ ଦେବାରେ ବିଳମ୍ବ ହେଲେ ଦାୟୀ ରହିବେ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିର୍ଦ୍ଦେଶ | ରୋଜଗାର ଅଭାବରୁ ଯେଭଳି ଗରିବ ପରିବାର କଷ୍ଟ ନ ପାଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦେଇଛନ୍ତି ଚେତାବନୀ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ।

ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାବ୍ୟତୀତ ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ଯୋଜନା ସମ୍ପର୍କରେ ମତାମତ ନେବାକୁ ସ୍ୱତନ୍ତ୍ର ଭାବେ ‘ମୋ ସରକାର’ ପ୍ଲାଟଫର୍ମ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।ଏହି ୨ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁ ଜିଲ୍ଲାରେ ଲୋକ ବାହାରକୁ ଯାଉଛନ୍ତି, ସେଠି ଅଧିକ ୧୦୦ ଦିନ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ , ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧ ହଜାର ମିଶନ ଶକ୍ତି ଘର ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏଁ ପରିଚୟ ଗୃହର ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ୍ ଶକ୍ତିର ମା ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।

କରୋନା ମହାମାରୀ ବିଶେଷ କରି ଲୋକଙ୍କ ଜୀବନ, ଜୀବିକା ଉପରେ ବହୁ ମାତ୍ରାରେ ପ୍ରଭାବ ପକାଇଛି। ରୋଜଗାର ହରାଇଥିବା ଅନେକ ଶ୍ରମିକଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି।ଏହି ପରିସ୍ଥିତିରେ ସେମାନଙ୍କୁ କିପରି ଶ୍ରମ ସହ ସଠିକ ମଜୁରୀ ଯୋଗାଇ ଦିଆଯିବ ସରକାରୀ ଅଧିକାରୀ ସେଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ। ଏଥିରେ କୋଣସି ତ୍ରୁଟି ହେଲେ ଜିଲ୍ଲାପାଳ ହିଁ ଦାୟୀ ରହିବେ। ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।