Odia News Portal

ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା

କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଯଁକୋଟି ଗ୍ରାମ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ।

ଏହା ଏକ ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ ବୋଲି କୁଳମଣିଙ୍କ ପରିବାର ଓ ତାଙ୍କର ଦଳର କିଛି ନେତା ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। କେବଳ ମାହାଙ୍ଗା ନୁହେଁ, ପୂରା ଜିଲ୍ଲା ପାଇଁ ଓ ଭାରତୀୟ ଜନତା ଦଳ ପାଇଁ ଏହା ଏକ କ୍ଷତି। ରଜନୈତିକ ଅଭିସନ୍ଧି ରଖି ଏହି ହତ୍ୟା କରାଯାଇଛି। ଶାସକ ଦଳର ସ୍ଥାନୀୟ ଅଞ୍ଚଳର ନେତାଙ୍କ ଇଙ୍ଗିତରେ ଏହି ହତ୍ୟା କରାଯାଇଛି।

ତେବେ ଏହି ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିବା ସହ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟରରେ ସେ ଲେଖିଛନ୍ତି, ଶ୍ରୀ ବରାଳ ଜଣେ ସରଳ ଓ ନିଷ୍ଠାପର ସାମାଜିକ କାର୍ଯ୍ୟକର୍ତା ଭାବେ ପରିଚିତ ଥିଲେ । ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିସାଂ ଓ ହତ୍ୟା କରିବା ଏହାଠୁ ଦୁଃଖଦ ଘଟଣା କିଛି ଥାଇନପାରେ । ଏହି ଘଟଣାରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।