Odia News Portal

ଭକ୍ତଙ୍କ ଜଗା ଦର୍ଶନ ପୂର୍ବରୁ ଫାଇଭି ଟି ସଚିବଙ୍କ ସ୍ଥିତି ଅନୁଧ୍ୟାନ

ଆସନ୍ତା ୨୩ ତାରିଖରୁ ଭକ୍ତଙ୍କୁ ମିଳିବ ଜଗା ଦର୍ଶନ |ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ।୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭ୍ ଟି ସଚିବ ।ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସ୍‌ପି କେ. ବି. ସିଂହ ପ୍ରମୁଖ ପହଞ୍ଚି ସ୍ଥିତି ପରଖିଛନ୍ତି।କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏହି ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି ।

ଶ୍ରୀ ମନ୍ଦିର ସମେତ ଜିଳ୍ଳାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ପୁରୀ ଜିଲ୍ଲା ପ୍ରଶାସନ ନେଇଛି ନିଷ୍ପତି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି କରିବେ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ । ମନ୍ଦିର ଖୋଲିବା ପରେ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।

ଏହାଛଡ଼ା ଏହି ଟିମ୍ ଶ୍ରୀମନ୍ଦିର ଚାରିପାଖର ବିକାଶ ଓ ହେରିଟେଜ୍ କରିଡରର ଉନ୍ନତିକରଣ କାର୍ଯ୍ୟ ବୁଲି ତଦାରଖ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲୁଥିବାରୁ ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ କୁହାଯାଇଛି। ଏହା ବ୍ୟତୀତ ୨୦ ମିଟର ଚଉଡ଼ା ବିଶିଷ୍ଟ ଆଉଟର ରିଙ୍ଗରୋଡ଼ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ପାଣ୍ଡିଆନ । ଏହାସହ ହେରିଟେଜ୍ କରିଡର ଓ ବଫର ଏରିଆ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ଏହା ପରେ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ସେନେଇ ଫାଇଭ୍ ଟି ସଚିବ ଆଜି ସମୀକ୍ଷା କରିଛନ୍ତି।