ନୂଆପଡ଼ା: ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଲେବର କାର୍ଡ କରାଇ ଦେବା ନେଇ ନିଜ ଖରିଆରରୋଡ ସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ବିଭାଗ ଧରିଛି । ନୂଆପଡା ଜିଲ୍ଲା ବୋଡେନ ଥାନା ପଲସଦା ଗାଁର ଶ୍ରୀନିବାସ ବେହେରା ୨୦୦ ଜଣ ବ୍ୟକ୍ତିଙ୍କ ଲେବର କାର୍ଡ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ଜଣାଇଥିଲେ । କାର୍ଡ ପ୍ରତି ସରକାରୀ ଦର ୭୦ ଟଙ୍କା ହିସାବରେ ୧୪,୦୦୦ ଟଙ୍କା ଡିପୋଜିଟ୍ କରିବା ପରିବର୍ତ୍ତେ ଡିଏଲଓ ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଲାଞ୍ଚ ମାଗିବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଆସିଥିବା ଟିମ୍ ତାଙ୍କୁ ଧରି ଥିଲା ।