ପୁରୀ: ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା ଏନ୍ଏସ୍ଜି ଟିମ୍ । ଡ୍ରୋନ୍ ଉଡ଼ାଇ ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଇ ଏନ୍ଏସ୍ଜିର ୩ ଜଣିଆ ଟିମ୍ ପକ୍ଷରୁ ସୁରକ୍ଷା ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ ଏନ୍ଏସ୍ଜି ଟିମ୍ ଆଲୋଚନା କରିଛି ।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏନ୍ଏସ୍ଜିର ତିନି ଜଣିଆ ଟିମ୍ ଶ୍ରୀମନ୍ଦିର ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ ସହଯୋଗ କରିଥିଲେ। ଏହାସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ବତନ୍ତ୍ର ନକ୍ସାକୁ ତଦାରଖ କରିଛନ୍ତି । ବୁଧବାର ମଧ୍ୟ ଏନ୍ଏସ୍ଜିର ୩ ଜଣିଆ ଟିମ୍ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା ।ଏନଏସଜିର ୩ ଜଣିଆ ଟିମ୍ ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡାକଡି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ ।ଏହା ବ୍ୟତୀତ ସିଂହଦ୍ଵାର ସମ୍ମୁଖ ଧାଡ଼ି ଦର୍ଶନ ବ୍ୟବସ୍ଥା, ଭେଟ ମଣ୍ଡପ ସମ୍ମୁଖ, ମେଘନାଦ ପ୍ରାଚୀର ନିକଟ ଅଞ୍ଚଳ ଓ ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦିକୁ ଅନୁଧ୍ୟାନ କରିଛି ଏନ୍ଏସଜି। ଏଥିସହ ନୂତନ ଭାବେ ନିର୍ମିତ ଶ୍ରୀମନ୍ଦିର ବାରିକେଡ୍ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି।