Odia News Portal

ପ୍ରତିଆକ୍ରମଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ପରିକ୍ଷାମୂଳକ କ୍ଷେପଣାସ୍ତ୍ର ପ୍ରୟୋଗ କଲା ଉତ୍ତର କୋରିଆ

ଶତ୍ରୁ ଶକ୍ତିମାନଙ୍କ ବିରୋଧରେ ଆଣବିକ ପ୍ରତିଆକ୍ରମଣ ପ୍ରଦର୍ଶନ କରିବା ଲାଗି ଆୟୋଜିତ ସମରାଭ୍ୟାସ ସମୟରେ ଆଜି ୪ଟି ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରିଥିବା କଥା ଉତ୍ତର କୋରିଆ କହିଛି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

ଉତ୍ତର କୋରିଆର ସରକାରୀ ସମ୍ବାଦ ସରବରାହ ସଂସ୍ଥାନ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ଅନୁଷ୍ଠିତ ଏହି ସମରାଭ୍ୟାସରେ ‘କୋରିଆନ୍‌ ପିପୁଲ୍‌ସ୍‌ ଆର୍ମି’ର ଯୁଦ୍ଧ ଆଭିଯାନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ୟୁନିଟ୍‌ ସମ୍ପୃକ୍ତ ଥିଲା। ଏହି ୟୁନିଟ୍‌ ଉତ୍ତର ହାମ୍‌ଗ୍ୟୋଙ୍ଗ୍‌ ପ୍ରଦେଶର କିମ୍‌ ସାଏକ୍‌ ନଗରୀ ଅଞ୍ଚଳରେ ୪ଟି ‘ହ୍ବାସାଲ୍‌-୨’ ‌କ୍ଷେପଣାସ୍ତ୍ର ଉତ୍‌‌କ୍ଷେପଣ କରାଯାଇଥିଲା।

ଶୂନ୍ୟରେ ଡିମ୍ବାକାର ଓ ଇଂରାଜୀ ୮ ଆକୃତି ପଥ ସୃଷ୍ଟି କରି ଉଡ଼ିଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ସେଠାରୁ କୋରୀୟ ଉପଦ୍ବୀପର ପୂର୍ବ ଉପକୂଳ ସମୁଦ୍ର ଆଡ଼କୁ ନିକ୍ଷେପ କରାଯାଇଥିଲା।

ଏହି କ୍ରୁଜ୍‌ କ୍ଷେପଣାସ୍ତ୍ରଗୁଡ଼ିକ ୨୦୦୦ କିଲୋମିଟର୍‌ ଦୂରରେ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଭେଦ କରିଥିଲା।  ୧୦,୨୦୮ ସେକେଣ୍ଡ୍‌ରୁ ୧୦,୨୨୪ ସେକେଣ୍ଡ୍‌ ମଧ୍ୟରେ ଉକ୍ତ କ୍ଷେପଣାସ୍ତ୍ର ସବୁ ଲକ୍ଷ୍ୟ ଭେଦ କରିଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

କିନ୍ତୁ, ଆଗରୁ ଯେପରି ଉତ୍ତର କୋରିଆ ‌କ୍ଷେପଣାସ୍ତ୍ର ଉତ୍‌‌କ୍ଷେପଣ ବିଷୟରେ ଆଗରୁ ଯେମିତି ଦକ୍ଷିଣ କୋରିଆ ଓ ଜାପାନ ରିପୋର୍ଟ କରୁଥିଲେ, ଏଥର ତାହା କରି ନାହାନ୍ତି।

କିନ୍ତୁ, ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି ଉତ୍ତର କୋରିଆ କ୍ଷେପଣାସ୍ତ୍ରଗୁଡ଼ିକର ଉଡ଼ାଣ ସଂକ୍ରାନ୍ତରେ ଯେଉଁ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ତାହା ଆମେରିକା ଓ ଦକ୍ଷିଣ କୋରିଆ ଗୁଇନ୍ଦାର ଅଧ୍ୟୟନ ସହିତ ମେଳ ଖାଉନାହିଁ। ସେମାନେ ଏହି ଉତ୍‌କ୍ଷେପଣ ସଂକ୍ରାନ୍ତରେ ବିଶ୍ଳେଷଣ କରୁଛନ୍ତି।