Odia News Portal

କରୋନା ଭାଇରସ ଉତ୍ପତ୍ତିର ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ : କରୋନା ଭାଇରସ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଆମେରିକାର ଏକ ରିପୋର୍ଟ ବିଶେଷଜ୍ଞଙ୍କୁ ଚକିତ କରିଛି । କରୋନା ବ୍ୟାପିବାର ୩ ମାସ ପୂର୍ବରୁ ଉହାନ ଲ୍ୟାବର ୩ଜଣ ବୈଜ୍ଞାନିକ ଅସୁସ୍ଥ ହୋଇଯାଇଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ୩ ଜଣ ବୈଜ୍ଞାନିକ ନବେମ୍ବର ୨୦୧୯ରେ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହାସହ ଆମେରିକା ହାତରେ ଲାଗିଥିବା ଏହି ଗୁଇନ୍ଦା ରିପୋର୍ଟରେ ଉହାନ ଲ୍ୟାବରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଓ କର୍ମଚାରୀଙ୍କ ତାଲିକା ମଧ୍ୟ ରହିଛି । ଏହି ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୈଠକର ଗୋଟିଏ ଦିନ ପୂର୍ବରୁ ଆସିଛି । ଯେଉଁ ବୈଠକରେ କରୋନା ଉତ୍ପତ୍ତିକୁ ନେଇ ତଦନ୍ତ ବାବଦରେ ବିସ୍ତୃତ ଆଲୋଚନା ହେବ ।

ଆମେରିକା ସିକ୍ୟୋରିଟି କାଉନସିଲ୍‌ର ମୁଖପାତ୍ର ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏହି ଖବରକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । କିନ୍ତୁ କହିଛନ୍ତି ଯେ, ବାଇଡେନ୍ ସରକାର କରୋନା ଭାଇରସରର ଉତ୍ପତ୍ତିର ତଦନ୍ତ ପାଇଁ ଉତ୍ସାହିତ ଅଛନ୍ତି । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍ କରୋନା ତଥ୍ୟ ହାସଲ ପାଇଁ ଉହାନ ଯାଇଥିଲା ।

ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଥିଲା ଯେ, ଉହାନ ଲ୍ୟାବରୁ କରୋନା ଉତ୍ପତ୍ତି ନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ । ଆମେରିକାର ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ଚୀନ ଭାଇରସ କହିବା ସହ ଏହା ଚୀନରୁ ଆସିଥିବା ଦାବି କରିଥିଲେ । ତେବେ ଚୀନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ୍‌କୁ ଅନେକ ସମୟରେ ସହାୟତା କରୁନଥିବା ଅଭିଯୋଗ ଆସିଥିଲା ।