Odia News Portal

ମିଶନ ଦିବ୍ୟଶଙ୍କର! ନବୀନ ନିବାସରେ ଆରମ୍ଭ ହେଲା ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ମମିତା ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ହୁଲସ୍ତୁଲ ହେଉଛି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ତେବେ ମନ୍ତ୍ରୀଙ୍କ ଲାଗି ଦଳରେ ଅଡ଼ୁଆ ବଢ଼ିବାରେ ଲାଗିଛି । ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳର କିଛି ବରିଷ୍ଠ ନେତା ଯୁକ୍ତି ବାଢ଼ିଥିବା କୁହାଯାଉଛି । ତେବେ ଏଭଳି ସ୍ଥଳେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ, ସେ କାହିଁକି ଇସ୍ତଫା ଦେବେ ବୋଲି ଆଉ ଏକ ଗୋଷ୍ଠୀ ଦାବି କରୁଛନ୍ତି । ତେବେ କଣ ନିସ୍କର୍ଷ ହେବ ତାଉପରେ ସମସ୍ତଙ୍କ ନଜର ଥିବାବେଳେ ନବୀନ ନିବାସରେ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି ।

ବିଜେଡିର ବହୁ ବରିଷ୍ଟ ନେତୃମଣ୍ଡଳୀ ଜଣକ ପରେ ଜଣେ ନବୀନ ନିବାସରେ ପହଞ୍ଚୁଥିବା କୁହାଯାଉଛି । ତେବେ ମନ୍ତ୍ରୀଙ୍କ ପ୍ରସଙ୍ଗକୁ ନେଇ ଏହି ବୈଠକର ଆୟୋଜନ କରାଯାଉଥିବା ସୂଚନା ମିଳିଛି । ତେବେ କୌଣସି ମୂହୁର୍ତ୍ତରେ କିଛି ବି ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଯାବତ କେଉଁ ନେତା ପହଞ୍ଚିଛନ୍ତି ତାହା ସ୍ପଷ୍ଠ ହୋଇନଥିବା ବେଳେ କିନ୍ତୁ ଏକ ବଡ଼ ଆଲୋଚନ ହୋଇପାରେ । ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ରହିପାରନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ଭଲ ସମ୍ପର୍କ ରହିଥିବା ବିରୋଧୀମାନେ ବାରମ୍ବାର ବିରୋଧ କରିଆସୁଛନ୍ତି । ଏପରିକି କଲେଜରେ ବହୁ ସରକାରୀ ଅନୁଦାନ ଲାଗିଛି । ମନ୍ତ୍ରୀ ସେଠାରେ ଯାଇ ରାତିରେ ରହୁଥିବା ଭଳି ତଥ୍ୟ ମଧ୍ୟ ବିରୋଧୀମାନେ ଉପସ୍ଥାପନ କରୁଛନ୍ତି । ସେପଟେ ସବୁ ଜିଲ୍ଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ବିରୋଧୀ କଂଗ୍ରେସ ଏବଂ ବିଜେପି କର୍ମୀମାନେ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜଧାନୀରେ ମଧ୍ୟ ଘନ ଘନ ପ୍ରେସମିଟ କରି ଅକଳରେ ପକାଉଛନ୍ତି ବିରୋଧୀ ।