ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ପ୍ରସ୍ତାବ ଦେଇଛନ୍ତି। ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍ ଖୋଲା ବଜାରରେ ଉପଲବ୍ଧ କରାଯାଉ । ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ନିବିଷ୍ଟ କରିପାରିବେ।
ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଛନ୍ତି, ଏହି ଅଭୂତପୂର୍ବ କୋଭିଡ୍ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍ ଟିକା ଦେଇସାରିଛି। ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ। ଏହାଛଡ଼ା, ଦୈନିକ ୩ ଡୋଜ୍ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ।
ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି। କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ଅଗ୍ରଗତିରେ ବାଧା ଆସୁଛି। ଦୈନିକ ୩ ଲକ୍ଷ ଟିକାକରଣ ଲାଗି ଆମକୁ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଥିଲି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ। କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ମୁଁ ସୁନିଶ୍ଚିତ।